ନୟାଗଡରେ ଜିମ ଇନଷ୍ଟ୍ରକ୍ଟରଙ୍କୁ ପୋଲିସ ଦେହଜୀବୀ ସଜାଇଥିବା ଅଭିଯୋଗ ! ଜନ୍ମଦିନ ପାର୍ଟିରେ ଚଢାଉ ପରେ ଘରେ, ବାହାରେ ଅପମାନ

41

କନକ ବ୍ୟୁରୋ : ଜିମରେ ଚଢ଼ାଉ କଲା ପୁଲିସ, ସେଠାରେ କାର୍ଯ୍ୟରତ ଯୁବତୀଙ୍କୁ ଉଠାଇ ନେଲା । ଅଭିଯୋଗ ଥିଲା-ଜିମ୍ ଭିତରେ ଚାଲିଛି ସେକ୍ସ ରାକେଟ୍ । ଘଟଣାଟି କେତେ ସତ, କେତେ ମିଛ, ତାହା ଜଣା ପଡ଼ିବା ପୂର୍ବରୁ ବଦନାମ ହୋଇଗଲେ, ଜିମରେ କାର୍ଯ୍ୟ କରୁଥିବା ଯୁବତୀ । ଗତମାସ ନୟାଗଡ଼ରେ ଘଟିଥିବା ଏପରିି ଘଟଣା ଯୋଗୁଁ ଏବେ ମୁଣ୍ଡ ଟେକି ବାଟ ଚାଲିବା କଷ୍ଟକର ହୋଇ ପଡ଼ିଛି ବୋଲି କହିଛନ୍ତି ଯୁବତୀ । ଅପବାଦ ଏବଂ ଅପମାନର ବୋଝ ନେଇ ବଂଚିବା କେତେ ମୁସ୍କିଲ୍ ନୟାଗଡ଼ର ଏପରିି ଘଟଣା ହିଁ ବୟାନ କରୁଛି ।

ପୁଲିସର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯିବା ଜଣେ ଯୁବତୀ, ଅଶ୍ରୁଳ ନୟନରେ ନ୍ୟାୟ ମାଗୁଛି । ସ୍ୱାବଲମ୍ବୀ ଭାବରେ ଜୀବନ ଜିଇଁବାର ପ୍ରୟାସ କରୁଥିବା ଏହି ଯୁବତୀଙ୍କ ମୁଣ୍ଡରେ ପୁଲିସ୍ ବୋଳି ଦେଇଛି ଅପବାଦର ଅଠା । ଜିମରେ ଏରୋବିିକ୍ସ ଇନଷ୍ଟ୍ରକ୍ଟର ଭାବରେ କାର୍ଯ୍ୟ କରୁଥିବା ଯୁବତୀକୁ ନୟାଗଡ଼ ପୁଲିସ୍ ଦେହଜୀବୀ ସଜାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି ଅପବାଦର ବୋଝ ଉଠାଇ ବାଟ ଚାଲିବା କଷ୍ଟକର ହୋଇପଡୁଛି ବୋଲି ପୀଡ଼ିତା କହିଛନ୍ତି ।

ନୟାଗଡ଼ କଲେଜ ସାମ୍ନାରେ ଥିବା ଏକ ଜିମ୍ ସେଂଟର୍ ଉପରେ ଅଚାନକ୍ ଚଢ଼ାଉ କରିଥିଲା ପୁଲିସ୍ । ଭିତରେ ଚାଲିଥିଲା ଜନ୍ମଦିନ ପାର୍ଟି । କେହି କିଛି ବୁଝିବା ଆଗରୁ ସେଠାରୁ ସମସ୍ତଙ୍କୁ ଉଠାଇ ଆଣିଥିଲା । ଜିମ୍ ସେଂଟର ଭିତରେ ଦେହ ବ୍ୟବସାୟ ଚାଲିଥିବା କହି, ମହିଳା ଏରୋବିକ୍ସ ଇନଷ୍ଟ୍ରକ୍ଟରଙ୍କୁ ଦେହଜୀବୀ ଏବଂ ଜିମ୍ ସେଂଟର ମାଲିକ ଏବଂ ତାଙ୍କ କିଛି ସାଙ୍ଗକୁ ଗ୍ରାହକ ସଜାଇ ଦେଲା ପୁଲିସ ।

କେବଳ ଏହି ଜଣେ ଯୁବତୀ ନୁହେଁ ଜିମରେ କାର୍ଯ୍ୟକରୁଥିବା ୯ ଜଣ ଝିଅଙ୍କ ସମାନ ଅବସ୍ଥା । ସମାଜରେ ମୁଣ୍ଡ ଟେକି ବାଟ ଚାଲିବା ଯେମିତି ଏମାନଙ୍କ ପାଇଁ ଏବେ କଷ୍ଟକର ହୋଇ ପଡ଼ିଛି । ଆଉ ଜନ୍ମଦିନ ପାର୍ଟି ବେଳେ ସାମିଲ ଥିବା ଜିମ୍ ସେଂଟର ମାଲିକଙ୍କ ଭାଇ ଏବଂ ସମେତ ମୋଟ୍ ୪ ଜଣଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏହି ଘଟଣାର ସତ୍ୟାସତ୍ୟ ସଂପର୍କରେ ନୟାଗଡ଼ ପୁଲିସର ପ୍ରତିକ୍ରିୟା ନେବା ପାଇଁ ଆମେ ପୁଲିସ ସହ ଯୋଗାଯୋଗ କରିଥିଲୁ । କିନ୍ତୁ ଘଟଣା ସଂପର୍କରେ କିଛି ବି କହିବାକୁ ପ୍ରସ୍ତୁତ ନୁହଁନ୍ତି । ପୁରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରର ମାଷ୍ଟରକ୍ୟାନ୍ଟିନରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ପୀଡ଼ିତା ।