କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସିୱେଜ୍ ସିପିଂ କମ୍ପାନୀ ଜିଏମ୍ ହତ୍ୟା ମାମଲାରେ ଗିରଫ ହୋଇଥିବା ମହିମା ମିଶ୍ର ସୁସ୍ଥ ହୋଇ ପୁଣି ଜେଲକୁ ଫେରିଛନ୍ତି । ତାଙ୍କୁ ବୁଧବାର କୁଜଙ୍ଗ ସମାଗୋଳ ସ୍ଥିତ ସବ୍ ଜେଲକୁ ପଠାଇ ଦିଆଯାଇଛି । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ୨୭ ତାରିଖ ରାତିରେ ମେଡିକାଲକୁ ନିଆଯାଇଥିଲା । ବସନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଡକ ଏସସିବି ମେଡିକାଲକୁ ପଠାଇ ଦିଆଯାଇଥିଲା । ତେବେ ଆଜିଠୁ ମହିମାଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ ।

Advertisment

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ହୋଟେଲରୁ ଗତ ୨୪ ତାରିଖରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ଧରାପଡିଥିଲେ । ୨୬ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ରାତାରାତି ପାରାଦୀପ ଥାନାକୁ ଅଣାଯାଇଥିଲା । ୨୭ ତାରିଖ ସକାଳେ ସେମାନଙ୍କୁ କୁଜଙ୍ଗ ଜେଏମଏଫସି ଦିଗବିଜୟ ଦାସଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ କୁଜଙ୍ଗ ସବଜେଲକୁ ପଠାଯାଇଥିଲା । ଅନ୍ୟପଟ ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ କଂଗ୍ରେସ ନେତା ବାପି ସର୍ଖେଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଜଗତସିଂହପୁର ଜିଳ୍ଲା ଦୌରାଜଜ୍ ବାପିଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଛନ୍ତି ସର୍ଖେଲ । ରାଜନୈତିକ ଅଭିସନ୍ଧି ରଖାଯାଇ ତାଙ୍କୁ ଏହି ଘଟଣାରେ ଫଶାଇ ଦିଆଯାଇଛି । ଏତଲାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇନାହିଁ । କେବଳ ଅଭିଯୁକ୍ତଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ପୋଲିସ ତାଙ୍କୁ ପଚରାଉଚରା ପାଇଁ ଡାକି ଗିରଫ କରିଥିଲା । ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ।