ବାଲେଶ୍ୱରରେ ମାତିଲେ ସେବାଶ୍ରମ ଅନ୍ତେବାସୀ : ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଟେଂଟଙ୍କ ଅନୈତିକ ସଂପର୍କ କଥା ଉଠାଇ ମାଡ ମାରିଲେ, ପରୀକ୍ଷା ନଦେଇ ଧାରଣାରେ ବସିଲେ

1,630
କନକ ବ୍ୟୁରୋ : ବାଲେଶ୍ୱରରେ ହସନପୁର ସେବାଶ୍ରମରେ ତୀବ୍ର ହୋଇଛି ଛାତ୍ର ଅସନ୍ତୋଷ । ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଂଟ ବଦଳି ଦାବିରେ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତିି ଛାତ୍ରଛାତ୍ରୀ । ଉଭୟ ଅନୈତିକ ସଂପର୍କରେ ମାତି ଛାତ୍ରଛାତ୍ରୀଙ୍କୁ ଅବହେଳା କରୁଥିବା ଅଭିଯୋଗ ଆଣି ପରୀକ୍ଷା ନଦେଇ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି  ।
ଅନେକ ସମୟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବଦଳି ପ୍ରତିବାଦରେ ପିଲାମାନେ ସ୍କୁଲ ବନ୍ଦ କରିବାର ଖବର ଆପଣମାନେ ଦେଖିଥିବେ । ହେଲେ ବାଲେଶ୍ୱର ସଦର ବ୍ଲକ ହସନପୁର ସେବାଶ୍ରମରୁ ଆସିଛି ନିଆରା ଚିତ୍ର । ସେବାଶ୍ରମର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ସୁପରିନଟେଣ୍ଡେଂଟଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଥିବା ସତ୍ୱେ ପିଲାମାନେ ପରୀକ୍ଷାରେ ନବସି ଧାରାଣରେ ବସିରହିଥିଲେ । ପିଲାମାନଙ୍କ ଅଭିଯୋଗ ମଧ୍ୟ ଭିନ୍ନ ପ୍ରକାର । ପ୍ରଧାନଶିକ୍ଷକ ଓ ସୁପରିନଟେଣ୍ଡେଂଟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ନେଇ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।
ବାଲେଶ୍ୱରରେ ମାତିଛନ୍ତି ସେବାଶ୍ରମ ଅନ୍ତେବାସୀ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସୁପରିନଟେଣ୍ଡେଂଟଙ୍କୁ ନିସ୍ତୁକ ପିଟିଛନ୍ତି ସେବାଶ୍ରମର ଛାତ୍ରୀ । ଆଉ ସେମାନଙ୍କ ପଛରେ ଛିଡା ହୋଇଛନ୍ତି ଅଭିଭାବକ ।  ଏପରିକି ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ମାଡ ମାରିବା ସହ ଘୋଷାଡି ଘୋଷାଡି ନେଇଛନ୍ତି । ତଥାପି ଉତେଜନା ନଥମିବାରୁ ଘଟଣାସ୍ଥଳରେ ପହଁଚିଥିଲେ ଜିଲ୍ଲାମଙ୍ଗଳ ଅଧିକାରୀ  । ଏବଂ ଉଭୟଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡିଥିିଲେ ଅନ୍ତେବାସୀ । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ପ୍ରଧାନଶିକ୍ଷକ ଓ ସୁପରିନଟେଣ୍ଡେଂଟ ।
ତେବେ ପିଲାମାନେ ସ୍ୱତଃପ୍ରବୃତ ଭାବେ ଏହି କାଣ୍ଡ ଭିଆଇଛନ୍ତି ନା ଏହା ପଛରେ ଅନ୍ୟ କାହାର ହାତ ଅଛି, ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ  ।