ବାତ୍ୟା ଫୋନିରେ ଭାଙ୍ଗି ଯାଇଥିଲା ବିଦ୍ୟାଳୟ : ନିଜସ୍ୱ ଖର୍ଚ୍ଚରେ ବିଦ୍ୟାଳୟ ଗୃହ ମରାମତି କଲେ ନିମାପଡାର ନିଆରା ଶିକ୍ଷକ ଲିଙ୍ଗରାଜ

193

କନକ ବ୍ୟୁରୋ : ଆଜିର ଦୁନିଆରେ ଏପରି କିଛି ନିସ୍ୱାର୍ଥପର ଲୋକ ଥାଆନ୍ତି, ଯେଉଁମାନେ ନିଜର କର୍ମ ପାଇଁ ଅନେକ ପ୍ରଶଂସା ସାଉଣ୍ଟିନିଅନ୍ତି । ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ମହାନତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ସେହି ବ୍ୟକ୍ତି ଜଣଙ୍କ ହେଲେ ଶିକ୍ଷକ । ଯିଏ ନିଜ ଉଦ୍ୟମରେ ତିଆରି କରୁଛନ୍ତି ବିଦ୍ୟାଳୟ ଶ୍ରେଣୀ ଗୃହ ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଧନୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମଙ୍ଗରାଜ । ନିଜ ପକେଟରୁ ଖର୍ଚ୍ଚ କରିବା ସହ ସହଯୋଗୀ ଶିକ୍ଷକ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ବିଦ୍ୟାଳୟ ଶ୍ରେଣୀଗୃହ ମରାମତି କରୁଛନ୍ତି  । କେବଳ ଅର୍ଥ ନୁହେଁ ପାଠ ପଢ଼ାଇବା ସହ ବଳକା ସମୟରେ ଘର ନିର୍ମାଣ କାମରେ ଶ୍ରମଦାନ ବି କରୁଛନ୍ତି ।

ଗତ ଫୋନି ବାତ୍ୟାରେ ସ୍କୁଲ ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଫଳରେ ଛାତ୍ରଛାତ୍ରୀ ନିକଟରେ ଥିବା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ପଢୁଛନ୍ତି । ସବୁ ଦିନ ସବୁ ଶ୍ରେଣୀର ପାଠ ପଢା ହୋଇପାରୁନାହିଁ । ପିଲାମାନେ ପାଳି କରି ବିଦ୍ୟାଳୟ ଆସୁଛନ୍ତି । ହେଲେ ବିଦ୍ୟାଳୟ ଘର ମରାମତି ପାଇଁ ସରକାରୀ ଅନୁଦାନ ଆସିବାର ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନ ଶିକ୍ଷକ ଏଭଳି ପଦକ୍ଷେପ ନେଇଛନ୍ତି ।

୭ମାସ ହେବ ବିଦ୍ୟାଳୟ ବଦଳରେ ସ୍ୱାସ୍ଥ୍ର୍ୟକେନ୍ଦ୍ରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ହେଲେ ବିଦ୍ୟାଳୟ ମରାମତି ପାଇଁ ଆଜି ଯାଏଁ ମିଳିନାହିଁ ସରକାରୀ ଅନୁଦାନ । ଏମତି ଚାଲିଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ବାଚନ ମଣ୍ଡଳିରେ ଥିବା ଧନୁଆ ଉଚ୍ଚ ବିଦ୍ୟାଳୟ ।