ଯୁକ୍ତ ୨ ଛାତ୍ରୀଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ତାଲିମ୍‌ ! ସାମିଲ ହେବେ ୮୮ ହଜାର ଛାତ୍ରୀ

47

କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଛାତ୍ରୀଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ତାଲିମ୍‌ । ୨୦୧୮-୧୯ ଶିକ୍ଷାବର୍ଷରେ ନୂଆ କରି କଲେଜକୁ ଆସିଥିବା ଛାତ୍ରୀ ଓ ତାଲିମ୍‌ ନେଇପାରି ନଥିବା ଛାତ୍ରୀମାନଙ୍କୁ ସାମିଲ କରାଯିବ। ୨୦୧୯ ଜାନୁଆରି ଶେଷ ସୁଦ୍ଧା ସମସ୍ତ ଛାତ୍ରୀ ତାଲିମ୍‌ ସରିବ । ସମୟ ସୀମା ବୃଦ୍ଧି କରାଯିବ ନାହିଁ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅର୍ଥ ମଞ୍ଜୁର ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଯୁଗ୍ମ ନିର୍ଦେଶକ ପ୍ରୀତି ପ୍ରତିଭା ଭୋଳ କହିଛନ୍ତି ।

୨୦୧୮-୧୯ରେ ଆତ୍ମରକ୍ଷା ତାଲିମ୍‌ କାର୍ଯ୍ୟକ୍ରମର ମନିଟରିଂ ପାଇଁ ୩୦ଟି ଜିଲ୍ଲାର ନୋଡାଲ ସେଣ୍ଟରଗୁଡ଼ିକୁ ମୋଟ ୨ ଲକ୍ଷ ଟଙ୍କା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାର ନୋଡାଲ ସେଣ୍ଟରକୁ ସର୍ବାଧିକ ୧୫ ହଜାର ଟଙ୍କା ମଞ୍ଜୁର ହୋଇଛି । ୩୦ଟି ଜିଲ୍ଲାର ୮୮ ହଜାର ଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷରେ ତାଲିମ୍‌ ଦେବାକୁ ନିଷ୍ପତ୍ତି ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଛାତ୍ରୀଙ୍କୁ ତାଲିମ୍‌ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମର ୬୨୮୦ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିବାକୁ ସ୍ଥିର ହୋଇଥିବା ବେଳେ ଖୋର୍ଧାରେ ୬୫୨୦, କଟକରେ ୬୨୯୦, ବାଲେଶ୍ବର ଜିଲ୍ଲାରେ ୬୧୬୦ ଛାତ୍ରୀ ତାଲିମ୍‌ ନେବେ ।

ଦେବଗଡ଼ରେ ସର୍ବନିମ୍ନ ୫୮୦, ବୌଦ୍ଧରେ ୭୨୫, ମାଲକାନଗିରିରେ ୮୩୦, ନୂଆପଡ଼ାରେ ୯୧୫, ଝାରସୁଗୁଡ଼ାରେ ୯୪୦, ଗଜପତିରେ ୯୮୫ ଛାତ୍ରୀଙ୍କୁ ତାଲିମ୍‌ ଦେବାକୁ ସ୍ଥିର ହୋଇଛି। ତାଲିମ୍‌ କାର୍ଯ୍ୟକ୍ରମ ପାଇଁ ପ୍ରତି ଛାତ୍ରୀଙ୍କ ପିଛା ୩୧୦ ଟଙ୍କା‌ ଲେଖାଏଁ ଖର୍ଚ୍ଚ କରାଯିବ । ୮୮ ହଜାର ଛାତ୍ରୀଙ୍କ ପାଇଁ ମୋଟ ୨ କୋଟି ୭୨ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ । ତାହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଅର୍ଥ ଅର୍ଥାତ୍‌ ଏକ କୋଟି ୯୦ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ବାକି ଅର୍ଥ ଦିଆଯିବ । ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ମାର୍ଚ୍ଚ ମାସରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଜାନୁଆରି ଶେଷ ସୁଦ୍ଧା ତାଲିମ ଶେଷ ହେବ ।