ନିର୍ଭୟା ମାମଲାର ଅସଲ ନାୟିକା. . . ପ୍ରଶାସନିକ ଅଧିକାରୀ ହେବାକୁ ଚାହୁଁଥିଲେ , ଓକିଲ ହେଲେ : ୭ ବର୍ଷ ବିନା ପାରିଶ୍ରମିକରେ ଲଢ଼େଇ କରି ନିର୍ଭୟାଙ୍କୁ ନ୍ୟାୟ ଦେଲେ ସୀମା କୁଶୱାହା

11,721

କନକ ବ୍ୟୁରୋ : ସାତ ବର୍ଷ ପରେ ଦୀର୍ଘ ଅପେକ୍ଷାର ଅବସାନ ଘଟିଲା । ଫାଶୀ ଖୁଂଟରେ ଝୁଲିଲେ ଦୋଷୀ । ୨୦ ମାର୍ଚ୍ଚ ୨୦୨୦ ସାଢ଼େ ୫ଟାରେ ୪ ନରପିଶାଚକୁ ତିହାର ଜେଲରେ ଫାଶୀ ଦିଆଗଲା । ତେବେ ଏହି ପ୍ରକ୍ରିୟାରେ ସବୁଠାରୁ ବଡ଼ ହାତ ଥିଲା ନିର୍ଭୟାଙ୍କ ଓକିଲଙ୍କର । ଗୋଟିଏ ପଟେ ଅଭିଯୁକ୍ତଙ୍କ ଓକିଲ ଏପି ସିଂ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ପୁରା ଜୋର ଲଗାଇ ଦେଇଥିଲେ । ଅଭିଯୁକ୍ତଙ୍କ ଫାଶୀ ଟାଳିବା ପାଇଁ ସମସ୍ତ ବିକଳ୍ପ ମଧ୍ୟ ବ୍ୟବହାର କରିନେଲେ । ହେଲେ ଏହି ନ୍ୟାୟିକ ଲଢ଼େଇରେ ହାରି ଯାଇନଥିଲେ ନିର୍ଭୟାଙ୍କ ଓକିଲ ସୀମା କୁଶୱାହା । ଶେଷର ଧର୍ମର ଜୟ ହେଲା ।  ଓକିଲ ସୀମା କୁଶୱାହା ଏପି ସିଂଙ୍କ ସହ ଲଢ଼େଇ କରି ନିର୍ଭୟାଙ୍କୁ ନ୍ୟାୟ ଦେଲେ ।

ତେବେ ସବୁଠାରୁ ବଡ଼ କଥା ହେଲା, ସାତ ବର୍ଷ ଗୋଟିଏ ବି ଟଙ୍କା ନନେଇ ଲଢ଼େଇ କରିଛନ୍ତି ସୀମା । ଚାରି ଦୋଷୀଙ୍କୁ ଫାଶୀ ମିଳିବା ପରେ ସୀମା କୁଶୱାହାଙ୍କୁ ଶୁଭେଚ୍ଛା ଦିଆଯାଉଛି । ନିର୍ଭୟା କେସକୁ ବିନା ପାରିଶ୍ରମିକରେ ଲଢ଼େଇ କରି ସେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି ।

ଉତ୍ତରପ୍ରଦେଶ ବାସିନ୍ଦା ସୀମା ଦିଲ୍ଲୀ ବିଶ୍ୱବିଦ୍ୟାଳରେ ଆଇନ୍ ପଢ଼ିଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ସେ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବା ପାଇଁ ଚାହୁଁଥିଲେ । ହେଲେ ଭଗବାନଙ୍କ ଇଚ୍ଛା ଥିଲା ଭିନ୍ନ । ଓକିଲ ହୋଇ ଆଜି ସେ ନିର୍ଭୟାଙ୍କୁ ନ୍ୟାୟ ଦେଇପାରିଛନ୍ତି ।

୨୦୧୨ରେ ନିର୍ଭୟା କାଣ୍ଡ ଘଟିଥିଲା । ଆଉ ସେହି ସମୟରେ କୋର୍ଟରେ ଟ୍ରେନିଂ ନେଉଥିଲେ ସୀମା  । ନିର୍ଭୟା ଘଟଣା ଘଟିବା ପରେ ମାଗଣାରେ କେସ୍ ଲଢ଼ିବା ପାଇଁ ଘୋଷଣା କରିଥିଲେ ସୀମା । ଆଉ ସେହି ସମୟରେ ବିନା ଟଙ୍କାରେ ନିର୍ଭୟା ମାମଲା ଲଢ଼ି ନ୍ୟାୟ ଦେବାପାଇଁ ପ୍ରଣ କରିଥିଲେ ସୀମା ।

ନିର୍ଭୟା ମାମଲା ସୀମାଙ୍କ କ୍ୟାରିୟରର ପ୍ରଥମ କେସ୍ ଥିଲା । ଏହି ତାଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ଥିଲା । ଶେଷରେ ସତ୍ୟର ଜୟ ହୋଇ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ଏହି ୭ ବର୍ଷରେ କେବଳ କୋର୍ଟରେ ନୁହେଁ, କୋର୍ଟ ବାହାରେ ମଧ୍ୟ ସୀମା ନିର୍ଭୟା ମାତାପିତାଙ୍କ ସାଥ୍ ଦେଇଛନ୍ତି ।

ନିର୍ଭୟା ନରପିଶାଚଙ୍କୁ ଫାଶୀ ମିଳିବା ପରେ ସୀମା କହିଛନ୍ତି,  ଆଜି ମୁଁ ବହୁତ ଖୁସି , ୭ ବର୍ଷ ପରେ ହେଉ ବରଂ ନିର୍ଭୟାଙ୍କୁ ନ୍ୟାୟ ମଳିଛି । ଫାଶୀ ପରେ ନିର୍ଭୟାଙ୍କ ମା  ପ୍ରଥମେ ସୀମା କୁଶୱାହାଙ୍କୁ କୃତଜ୍ଞତା ଜଣାଇଥିଲେ । ସୀମାଙ୍କ ବିନା ଏ ଲଢ଼େଇ ସମ୍ଭବ ନଥିଲା ବୋଲି ନିର୍ଭୟାଙ୍କ ମା ।