କେରଳରେ ଦ୍ୱିତୀୟ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ : କିଛି ଦିନ ପୂର୍ବରୁ ଚୀନରୁ ଫେରିଥିଲେ ରୋଗୀ

138

କନକ ବ୍ୟୁରୋ : କେରଳରେ ଦ୍ୱିତୀୟ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା କୁହାଯାଉଛି । ତାଙ୍କୁ ଏବେ ଆଇସୋଲେସନ୍ ଓ୍ଵାର୍ଡରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଚିକିତ୍ସକମାନେ ତାଙ୍କୁ ଅନୁଧ୍ୟାନ କରୁଛନ୍ତି ।

ଅଳ୍ପ କିଛି ଦିନ ତଳେ କେରଳରେ ଭାରତର ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା । କରୋନା ଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ କେରଳରେ ସମୁଦାୟ ୧୭୯୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ନିକଟରେ ଏହି ଲୋକମାନେ ଚୀନ୍ରୁ ଫେରିଥିଲେ ।

କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଫିଲିପ୍ପିନ୍‌ସରେ ଚୀନ୍‌ର ଜଣେ ନାଗରିକ ପ୍ରାଣ ହରାଇଛନ୍ତି । ସେପଟେ ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୩୦୪ରେ ପହଞ୍ଚିଛି । ଏହାଛଡ଼ା ଆହୁରି ୧୪୩୦୦ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି ।