ଦେଶରେ ୧୯୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ବିଦେଶୀ, ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୨

2,927

କନକ ବ୍ୟୁରୋ : ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା । କେନ୍ଦ୍ର ସରକାରଙ୍କ କଟକଣା ଓ ସଚେତନତା ସତ୍ୱେ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା କରୋନା ଭାଇରସରେ ଆକ୍ରାନ୍ତ ହୋଇ ଦେଶରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ଏପଟେ ଓଡିଶାରେ ପୁଣି ଜଣେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଗତକାଲି ଆରଏମଆରସିକୁ ପଠାଯାଇଥିବା ୧୪ଟି ନମୂନା ମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୟୁରୋପର ଏକ ଦେଶରେ ପାଠ ପଢ଼ୁଥିବା ବେଳେ ବୁଧବାର ଓଡିଶା ଫେରିବା ପରେ ନିଜଆଡୁ ସରକାରଙ୍କ ପୋର୍ଟାଲରେ ନାଁ ପଞ୍ଜୀକରଣ କରିଥିଲେ । ତାଙ୍କ ଶରୀରରେ କରୋନା ଲକ୍ଷଣ ଥିବାରୁ ତାଙ୍କର ରକ୍ତ ନମୁନା ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଆଏମଆରସିକୁ ପଠାଯାଇଥିଲା । ପରୀକ୍ଷାରୁ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ପୂର୍ବରୁ ଭୁବନେଶ୍ୱରରୁ ଜଣଙ୍କ ନମୂନାରେ କରୋନା ଭୂତାଣୁ ଥିବା ଜଣାପଡିଥିଲା । ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି । ବିଦେଶୀ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ହେବା ପରେ ଲୋକମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ୧୦୦ଟି ଦେଶରୁ ଫେରିଥିବା ୨ହଜାର ୬୦୦ ଜଣ ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ସାରିଛନ୍ତି ।

ସେପଟେ ସାରା ବିଶ୍ୱର ୧୭୬ ରାଷ୍ଟ୍ରକୁ କରୋନା ଭୂତାଣୁ ବ୍ୟାପିଛି । ବିଶ୍ୱର ୨ଲକ୍ଷ ୨୭ ହଜାର ୭୬୪ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ୯୮୩୪ ଜଣଙ୍କର ମୃତ୍ୟୁ ହୋଇଛି । ୟୁରୋପୀୟ ରାଷ୍ଟ୍ର ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୮୦୦ ଶହ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୪୦୫ରେ ପହଁଚିଛି । ଚୀନରେ କରୋନା ଯୋଗୁଁ ମୋଟ୍ ୩୨୪୫ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲୀ ଏବେ ଚୀନକୁ ଟପି ଯାଇଛି ।

ସେହିଭଳି ଇରାନରେ ମୃତ୍ୟୁସଂଖ୍ୟା ୧୨୮୪ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୫୦୦ ଟପିଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୭୬୭ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୧୪୭ରେ ପହଁଚିଛି । ଫ୍ରାନ୍ସରେ ବି ସ୍ଥିତି ଜଟିଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ଜହାର ୧୩୪ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୦୦ରେ ପହଞ୍ଚିଛି । ମାତ୍ର ୨୪ ଘଂଟା ଭିତରେ ୧୦୮ଜଣଙ୍କ ଜୀବନ ଯାଇଛି । ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୬୨୬ରେ ପହଁଚିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩ ପହଞ୍ଚିଥିବାବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଛି ।