ରମେୟାପାଟଣାରେ କୂଳ ଖାଉଛି ସମୁଦ୍ର : ମୁହାଣ ଖୋଳିଲେ ୨ ଗାଁ ଲୋକେ, ୪ଫୁଟ ଓସାର ଓ ଶହେ ମିଟର ଲମ୍ବର ଜାଗାରୁ ଜେସିବି ସହାୟତାରେ କାଢ଼ିଲେ ବାଲି 

278

କନକ ବ୍ୟୁରୋ : ଗଞ୍ଜାମ ଚିକିଟି ତହସିଲ କତୁରୁ ପଂଚାୟତର ରାମେୟାପାଟଣାରୁ ଆସିଛି  ନିଆରା ଚିତ୍ର । ଏଠାରେ ବାହୁଦା ନଦୀ ଗତିପଥ ବଦଳାଉଛି ।  ସମୁଦ୍ର ବି ବାରମ୍ବାର କୂଳ ଖାଉଛି ।  କିନ୍ତୁ ପ୍ରଶାସନ କୌଣସି  ପଦକ୍ଷେପ ନେଉନାହିଁ । ଫଳରେ ସ୍ଥାନୀୟ ଲୋକେ ନିଜେ ଅଂଟା ଭିଡିଛନ୍ତି ।  ରାମେୟାପାଟଣା ଓ  ସୁନାପୁର ଗାଁର ଲୋକେ ପୋତି ହୋଇଯାଇଥିବା ବାହୁଦା ମୁହାଣକୁ  ଖୋଳିଛନ୍ତି ।  ୪ ଫୁଟ ଓସାର ଓ ପ୍ରାୟ ୧ ଶହ ମିଟର ଲମ୍ବ ପରିମିତ ଜାଗାରୁ ଜେସିବି ସହାୟତାରେ ବାଲି କାଢିନେଇଛନ୍ତି ଗାଁ ଲୋକେ । ମୁହାଣ ଖୋଳାଯିବା ପରେ  ବାହୁଦା ନଦୀର ପାଣି  ସମୁଦ୍ରକୁ ଯିବା ଆରମ୍ଭ କରିଛି ।  

 

ଗଞ୍ଜାମ ଜିଲ୍ଲାର ଚିକିଟି ତହସିଲ କୁତୁର ପଂଚାୟତର ରହିଛି ରାମେୟାପାଟଣା ଗାଁ ।  ରାମେୟାପାଟଣା-ସୁନାପୁର ମଧ୍ୟବର୍ତୀ ସ୍ଥାନରେ ବାହୁଦା ନଦୀ ସମୁଦ୍ରରେ ମିଶିଛି ।  ଏହି ବାହୁଦା ମୁହାଣ ଗତ କିଛି ମାସ ହେବ ପୋତି ହେବା ସହିତ ବାହୁଦା ନଦୀ ଗତିପଥ ବଦଳାଇଥିଲା ।  ବାହୁଦା ନଦୀର ଜଳ ସମୁଦ୍ରକୁ  ନିଷ୍କାସିତ  ହୋଇପାରୁନଥିଲ। । ଶେଷରେ  ଏହି ଦୁଇ ଗାଁର ଲୋକେ ମୁହାଣ ଖୋଳିଛନ୍ତି । ଗତକାଲି ଦିନତମାମ ମୁହାଣ ଖୋଳା ଚାଲିଥିଲା । ଏହା ପରେ ନଦୀର ଜଳ ସମୁଦ୍ରକୁ ଯିବା ଆରମ୍ଭ କରିଛି ।