ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି ।  ମନ୍ତ୍ରୀ ସମୀର ଦାଶ କହିଲେ, ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି

5,950

କନକ ବ୍ୟୁରୋ : କରୋନା ମହାମାରୀ କାରଣରୁ ବନ୍ଦ ହୋଇଯାଇଥିବା ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା ଚାଲିଛି । ତେବେ କିଭଳି ସ୍କୁଲ ଖୋଲିବ ଏବଂ କରୋନାର ସଂକ୍ରମଣକୁ କିଭଳି ଏଡାଯାଇ ପାରିବ ସେନେଇ ବିଚାର ବିମର୍ଶ ଚାଲିଛି ।

କୋଭିଡ ପରିଚାଳନା ପାଇଁ ଦେଶରେ ଗଠିତ ମନ୍ତ୍ରୀ ସ୍ତରୀୟ ଓ ସଚିବ ସ୍ତରୀୟ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ଅଗଷ୍ଟ ୩୧ରେ ଦେଶରେ ଚୂଡାନ୍ତ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କେବେ ଓ କିଭଳି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫେରାଇ ଅଣାଯିବ, ସେନେଇ ରାଜ୍ୟ ସରକାର ଗୁଡିକ ହିଁ ଚୂଡାନ୍ତ ନିଷ୍ପତି କରିବେ ।

ଦେଶରେ ସ୍କୁଲ, କଲେଜ ଖୋଲିବା ସହ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ ଗତ ଜୁଲାଇରେ ଏକ ସର୍ଭେ ହୋଇଥିଲା । ଏଥିରୁ ଜଣାପଡିଛି ଯେ, ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ନୁହନ୍ତି । ହେଲେ କରୋନା କଟକଣାରୁ ସ୍କୁଲ ବନ୍ଦ ହୋଇଯିବା ଫଳରେ ଅର୍ଥନୈତିକ ଅନଗ୍ରସର ଲୋକମାନେ ଅଧିକ ହଇରାଣ ହେଉଥିବା ରାଜ୍ୟ ସରକାରଗୁଡିକ ମତ ଦେଇଛନ୍ତି । ତେଣୁ ଯଦି ସ୍କୁଲ ଖୋଲେ, ତେବେ କିଭଳି ବ୍ୟବସ୍ଥାବଳୀ ରହିବ ସେନେଇ ମଧ୍ୟ ଚର୍ଚ୍ଚା କରାଯାଉଛି ।

– ସେପ୍ଟେମ୍ବର ୧ରୁ ପ୍ରଥମେ ଦଶମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ କୁହାଯିବ

– ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦିଷ୍ଟ ସେକ୍ସନର ପିଲାଙ୍କୁ ଅଲଗା ଅଲଗା ଦିନରେ ସ୍କୁଲ ଡକାଯିବ

– ଅର୍ଥାତ ‘ସେକ୍ସନ-ଏ’ ଓ ‘ସେକ୍ସନ-ସି’ର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନ ଓ ଅନ୍ୟ ସେକ୍ସନ ପିଲାଙ୍କୁ ଆନ୍ୟଦିନ ଡକାଯିବ

– ସେହିପରି ସ୍କୁଲର ଅବଧୀ ୫ରୁ ୬ ଘଂଟା ପରିବର୍ତ୍ତେ, ୨ରୁ ୩ ଘଂଟା ମଧ୍ୟରେ ସୀମିତ ରଖାଯିବ

– ସକାଳ ୮ଟାରୁ ୧୧ଟା ଓ ପୁଣି ମଧ୍ୟାହ୍ନ ୧୨ରୁ ଅପରାହ୍ନ ୩ଟା ଦୁଇଟି ସିଫ୍ଟରେ ସ୍କୁଲ ଚାଲିପାରେ

– ମଝିରେ ୧ ଘଂଟାର ବିରତି ରଖି ସ୍କୁଲକୁ ସାନିଟାଇଜ୍ କରିବାକୁ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ

– ପର୍ଯ୍ୟାୟକ୍ରମେ ଷଷ୍ଠରୁ ନବମ ଶ୍ରେଣୀ ଯାଏଁ କ୍ଲାସ ମଧ୍ୟ ଏହିଭଳି ଆରମ୍ଭ କରିପାରନ୍ତି ସରକାର

– ସ୍ୱିଜର୍ଲ୍ୟାଣ୍ଡରେ ସ୍କୁଲ ଖୋଲିଥିବାରୁ ସେହି ମଡେଲକୁ ଅନୁସରଣ କରିପାରନ୍ତି ଭାରତ ସରକାର

ତେବେ ରାଜ୍ୟରେ କରୋନାର ସଂକ୍ରମଣକୁ ଦେଖି ସେପ୍ଟେମ୍ବରରେ ସ୍କୁଲ ଖୋଲିବା ପାଇଁ ସରକାର କୌଣସି ନିଷ୍ପତି କରିନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ଅକ୍ଟୋବର ମାସରେ ଅନେକ ପର୍ବ ପର୍ବାଣୀ ରହିଛି । ତେଣୁ ଅକ୍ଟୋବର ପୂର୍ବରୁ ରାଜ୍ୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲାଯିବା ସମ୍ଭବ ନେୁହେଁ । କେନ୍ଦ୍ର ସରକାରଙ୍କ ସେପ୍ଟେମ୍ୱର ମାସର ଗାଇଡଲାଇନ୍ ଅନୁସାରେ ପରବର୍ତି କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ତଥାପି ସ୍କୁଲ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଶିକ୍ଷା ସଂପର୍କ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯେଉଁ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୋଡିବାକୁ ପ୍ରୟାସ ହେଉଛି । ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିବେ ଶିକ୍ଷକ । ସପ୍ତାହକୁ ଦୁଇଥର ପିଲାଙ୍କ ପାଖରେ ପହଂଚି, ସେମାନଙ୍କ ଡାଉଟ କ୍ଲିୟର କରିବା ସହ ହୋମୱାର୍କ ବି ଦେବେ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନର ପାଳନ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।