ୟୁପିର କୁଶୀନଗର ଲେବୁଲ୍ କ୍ରସିଂରେ ସ୍କୁଲ ଭ୍ୟାନକୁ ପିଟିଲା ଟ୍ରେନ୍, ୧୩ ଛାତ୍ରଛାତ୍ରୀ ମୃତ

36

କନକ ବ୍ୟୁରୋ : ସ୍କୁଲ ଭ୍ୟାନକୁ ପିଟିଲା ଟ୍ରେନ୍ । ଉତ୍ତରପ୍ରଦେଶ କୁଶୀନଗରରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲ ଭ୍ୟାନକୁ ଟ୍ରେନ୍ ଧକ୍କା ଦେବାରୁ ୧୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଜଗୁଆଳି ବିହୀନ ଲେବୁଲ କ୍ରସିଂ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ସ୍କୁଲ ଭ୍ୟାନରେ ମୋଟ ୨୨ ଜଣ ଛାତ୍ର ଥିବା ସୂଚନା ମିଳିଛି । ତେବେ ୮ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ଜଣାପଡିଛି । ଦେଖଣାହାରୀଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପିଲା ୧୦ ବର୍ଷ ଭିତରେ । ଆହତ ହୋଇଥିବା ଅନେକଙ୍କୁ ଡାକ୍ତରଖାନା ଅଣା ଯାଇ ନ ପାରିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଛି। ଅନ୍ୟ କେତେକ ଡାକ୍ତରଖାନାକୁ ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ଦୁର୍ଘଟଣା କୁଶୀନଗର ସହର ନିକଟବର୍ତ୍ତୀ ଦୁଧି ରେଲ୍ କ୍ରସିଙ୍ଗ୍ ନିକଟରେ ଘଟିଛି । ଜଗୁଆଳି ବିହୀନ ଫାଟକ ଯୋଗୁଁ ଦୁର୍ଘଟଣା ଘଟିଥିବାରୁ ଦେଖଣାହାରୀମାନେ ପ୍ରଶାସନକୁ ଦୋଷ ଦେଉଛନ୍ତି । ଡିଭାଇନ୍ ପବ୍ଲିକ୍ ସ୍କୁଲ୍ର ଏହି ଭ୍ୟାନ୍ରେ ୨୦ ରୁ ୩୦ ଜଣ ପିଲା ଥିଲେ ବୋଲି କୁହା ଯାଉଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ।ଦୁର୍ଘଟଣାରେ ଦୁଃଖ ପ୍ରକାଶପୂର୍ବକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତଙ୍କ ପରିବାରବର୍ଗଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଘଟଣାର ତଦନ୍ତ ପାଇଁ ଗୋରଖପୁର କମିସନର୍ଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି ।