ଭଙ୍ଗାଘରେ ଗଢ଼ାଚାଲିଛି ଭବିଷ୍ୟତ : ପାଦେ ପାଦେ ବିପଦ, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତୀ

210

କନକ ବ୍ୟୁରୋ : ଅନ୍ଧାରରୁ ଆଲୋକକୁ ଆଣିବାର ବାଟ ହେଉଛି ଶିକ୍ଷା । ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ । ତେଣୁ ସେମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତମାମ୍ ଯୋଜନା । ଶିକ୍ଷାର ବିକାଶ ପାଇଁ ଶ୍ରେଣୀଗୃହ ନିର୍ମାଣ, ସାଇକେଲ, ମଧ୍ୟାହ୍ନ ଭୋଜନ ଭଳି ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । କିନ୍ତୁ ରାଜ୍ୟର ପ୍ରାୟ ଅଧିକାଂଶ ସରକାରୀ ସ୍କୁଲରେ ଖାଲି ସମସ୍ୟା ଆଉ ସମସ୍ୟା । ଅନୁଗୁଳର ପାଲଲହଡା, କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ ଏପରି ସମସ୍ୟା ଘେରରେ ଚାଲିଛି ସ୍କୁଲ ।

ବର୍ଷ ବର୍ଷ ଧରି ସରକାରୀ ହାଇସ୍କୁଲର ବିପଦସଂକୁଳ ଅବସ୍ଥାରେ ପଢୁଛନ୍ତି ଛାତ୍ରଛାତୀ । ପାଦେ ପାଦେ ବିପଦ । ସମସ୍ୟା ଘେରରେ ପାଲଳହଡା ବିଧାନସଭା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ଶୁଶୁବା ପୁର୍ଣଚନ୍ଦ୍ର ହାଇସ୍କୁଲ । ବ୍ରାହ୍ମଣୀ ନଦୀ କୂଳଠାରୁ ମାତ୍ର ୩୦ ମିଟର ଦୂରରେ ନିର୍ମିତ ଏହି ସ୍କୁଲ ସରକାରୀ ଅନୁଦାନପ୍ରାପ୍ତ । ୩୩ ବର୍ଷର ପୁରୁଣା ସ୍କୁଲର ଭଙ୍ଗା ଘରେ ପଢୁଛନ୍ତି ଶହ ଶହ ଛାତ୍ରଛାତ୍ରୀ । କବାଟ ଭାଙ୍ଗିଲାଣି, ତଳେ ବସି ପଢୁଛନ୍ତି । ଶିକ୍ଷକ ଅଭାବ, ବିଜୁଳି ନାହିଁ, ସାଇକେଲ ଷ୍ଟାଂଡ ନାହିଁ, ଶୌଚାଳୟ ନାହିଁ, ଶ୍ରେଣୀଗୃହ ନାହିଁ, ଅଫିସ ଘର ନାହିଁ । ପୁର୍ଣଚନ୍ଦ୍ର ହାଇସ୍କୁଲକୁ ନାହିଁ ନାହିଁ ସ୍କୁଲ କହିଲେ କିଛି ଭୂଲ ହେବ ନାହିଁ । ସେପଟେ ୧୯୮୬ ମସିହାର ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପାଲଲହଡା ବିଧାୟକ ।

ଏମିିତି ଆଉ ଏକ ଦଦରା ସ୍କୁଲ ରହିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ । ମହାକାଳପଡା ତିଖିରି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ମୁଣ୍ଡ ଉପରେ ଆଜେବଷ୍ଟ କଣା, ଶ୍ରେଣୀଗୃହର କାନ୍ଥ ଫାଟି ଆଁ କରିଛି । କେତେକ ସ୍ଥାନରେ ଉପରୁ କଂକ୍ରିଟ୍ ସ୍ଲାବ ଖସୁଛି । ତଥାପି ଏହାରି ଭିତରେ ପ୍ରଥମରୁ ସପ୍ତମ ଯାଏଁ ୧୭୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେପଟେ ସ୍କୁଲ ପାଇଁ ନୂଆ କୋଠା ନିର୍ମାଣ ୩ ବର୍ଷ ହେବ ଅଧାରେ ପଡିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ଜଣାଇଲେ ବି କିଛି ଲାଭ ହେଉନାହିଁ ।