ରାଜଧାନୀରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ସ୍କୁଲ ଯିବାଆସିବା କରୁଛନ୍ତି ଛାତ୍ରଛାତ୍ରୀ : ଅଣଦେଖା ହେଉଛି ଛାତ୍ର ପରିବହନ ନୀତି

Advertisment
ରାଜଧାନୀରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ସ୍କୁଲ ଯିବାଆସିବା କରୁଛନ୍ତି ଛାତ୍ରଛାତ୍ରୀ : ଅଣଦେଖା ହେଉଛି ଛାତ୍ର ପରିବହନ ନୀତି

image courtesy-https://www.avenuemail.in

କନକ ବ୍ୟୁରୋ : ନିୟମିତ ବ୍ୟବଧାନରେ ସ୍କୁଲ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । କେତେବେଳେ ଅଟୋ ଓଲଟି ଯାଉଛି ତ କେତେବେଳେ ପିଲା ଯାଉଥିବା ଗାଡ଼ି ଦୁର୍ଘଟଣାର ଶିକାର ହେଉଛି । ଏପରିକି ସ୍କୁଲ ଛାତ୍ରଛାତ୍ରୀ ଅଟୋ ଓ ଭ୍ୟାନ୍‌ରେ ଲଦାଲଦି ହୋଇ ବିପଜ୍ଜନକ ଅବସ୍ଥାରେ ସ୍କୁଲ ଯାଉଥିବାରୁ କେତେବେଳେ କିଏ ଗାଡ଼ିରୁ ଖସି ପଡ଼ୁଛି ତ କେତେବେଳେ ଅତିକ୍ରମ କରୁଥିବା ଗାଡ଼ିରେ ଘଷି ହୋଇ ପିଲା ଆହତ ହେଉଛନ୍ତି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କର ଏତିପ୍ରତି ନିଘା ନାହିଁ । କେବଳ ସ୍କୁଲ କର୍ତ୍ତୃପକ୍ଷ ନୁହେଁ କମିସନରେଟ୍‌ ପୁଲିସ କି ଆଞ୍ଚଳିକ ପରିବହନ ଅଧିକାରୀଙ୍କର ବି ଏଥିପ୍ରତି ନଜର ନାହିଁ । ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପିଲା ରାଜଧାନୀରେ ବିପଜ୍ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି ।

publive-image

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ପରିବହନ କରାଯିବ ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ ? କେଉଁ ଭଳି ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ନିଆଯିବ ? ପିଲା ଯିବା ସମୟରେ ଗାଡ଼ିରେ କେଉଁମାନେ ରହିବେ ? ଏହାକୁ ନଜରରେ ରଖି ୨୦୧୬ରେ ବିଦ୍ୟାଳୟ ଛାତ୍ର ପରିବହନ ନୀତି ହୋଇଥିଲା । ଇତି ମଧ୍ୟରେ ଏହି ନୀତିକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ । ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପରିବହନ ଉପରେ ନିଘା ନ ଥିବା ବେଳେ ରାଜଧାନୀରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି । ବେଧଡ଼କ ଭାବେ ପରିବହନ ଚାଲିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ସତେ ଯେମିତି ଏହି ପିଲାଙ୍କ ଜୀବନ ପ୍ରତି କାହାର ସହାନୁଭୂତି ନାହିଁ ।

publive-image

ଛାତ୍ରଛାତ୍ରୀମାନେ କିପରି ସ୍କୁଲକୁ ନିରାପଦ ଭାବେ ଯାତାୟାତ କରିବେ ସେଥିପାଇଁ ବିଦ୍ୟାଳୟ ଛାତ୍ର ପରିବହନ ନୀତି-୨୦୧୬ ଲାଗୁ କରାଯାଇଥିଲା । ଏହି ନିୟମ ଅନୁସାରେ ସ୍କୁଲ ବସ୍‌ରେ ପିଲାଙ୍କୁ ପରିବହନ କରାଯିବ । ସ୍କୁଲ ବସ୍‌ଗୁଡ଼ିକ ହଳଦିଆ ରଙ୍ଗ ହେବା ସହ ଆଗ ଓ ପଛରେ ବଡ଼ ଅକ୍ଷରରରେ ସ୍କୁଲ୍‌ ବସ୍‌ ଲେଖାଯିବ, ବସ୍‌ର ଝରକା ଲୁହା ଗ୍ରିଲ୍‌ରେ ବନ୍ଦ ହେବା ଆବଶ୍ୟକ, ଚାଳକଙ୍କର ଅତିକମ୍‌ରେ ୫ବର୍ଷର ଅଭିଜ୍ଞତା ରହିଥିବ, ବସ୍‌ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସିଟ୍‌ ଅନୁସାରେ ପିଲା ସଂଖ୍ୟା, ଜରୁରୀ ପରିସ୍ଥିତି ପାଇଁ ଫାଷ୍ଟ-ଏଡ୍‌ ବକ୍ସ, ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ରହିବ ନାହିଁ ବୋଲି ନିୟମ ହୋଇଛି ।

ସିବିଏସ୍‌ଇ ସମେତ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦେଶାବଳୀ ଜାରି ହୋଇଛି । ଏକାଧିକ ଥର ସ୍କୁଲଗୁଡ଼ିକୁ ଏହିି ନିୟମ ପଠାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହା ଏବେ ରାଜଧାନୀ ରାସ୍ତାରେ ଜଳଜଳ ଦିଶୁଛି । ସ୍କୁଲ ବସ୍‌ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କ ପରିବହନ କରାଗଲେ ଗାଡ଼ିକୁ ଜବତ କରାଯିବ । ଗାଡ଼ି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏବେ ବି ପିଲାମାନଙ୍କୁ ବିପଜ୍ଜନକ ଅବସ୍ଥାରେ ପରିବହନ କରାଯାଇଛି । ଅଟୋ, ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି । ଗାଡ଼ିରେ ଯେତିକି ସିଟ୍‌ ରହିଛି ତା’ଠାରୁ ଢେର୍‌ ଅଧିକ ପିଲାଙ୍କୁ ନିଆଯାଉଛି । କେତେକ ସ୍ଥାନରେ ପିଲାମାନେ ଓହଳି ଯାଉଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି । ଯେଉଁଥିପାଇଁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ୁଛି । ହେଲେ କର୍ତ୍ତୃପକ୍ଷ ପୂରା ନିରବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe