କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ 

2,527

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି । ଅନ୍ୟପଟେ ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ରାଜ୍ୟ ସରକାର ମଣିଷ ଜୀବନକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏପ୍ରିଲ ୩୦ ଯାଏ ଟ୍ରେନ, ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ରକୁ ସୁପାରିଶ କରାଯାଇଛି । ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି । ତେବେ ଲକ ଡାଉନ ସମୟରେ ନରେଗା ଓ କୃଷି କାମ ଜାରି ରହିବ । ଭିଡିଓ ବାର୍ତାରେ ନବୀନ ଆମେରିକାର ଉଦାହରଣ ଦେଇ କହିଛନ୍ତି ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା ବୋଲି ନବୀନ କହିଛନ୍ତି । କିନ୍ତୁ ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇନଥିଲା ।

ନବୀନ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି, ଏହି ଶତାଦ୍ଦୀରେ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଉଭା ହୋଇଛି । ତେଣୁ ସାହାସର ସହ ମୁକାବିଲା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି । ଏପଟେ ଖାଦ୍ୟ ନିରାପତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି । ଓଡିଶା ବାହାରେ ଫସିରହିଥିବା ଓଡିଆ ଶ୍ରମିକଙ୍କ ଯତ୍ନ ନେବା ପାଇଁ ସେ ସେସବୁ ରାଜ୍ୟକୁ ଅନୁରୋଧ କରାଯାଇଛି ।