ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହ କେନ୍ଦ୍ରାପଡା, ସୁନ୍ଦରଗଡ ଓ ଫୁଲବାଣୀରେ ବି ଛୁଟି ହେଲା ସ୍କୁଲ : ସାରା ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

41

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ । ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ସେହିପରି କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ମାନେ ପଦକ୍ଷେପ ନେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତିି ।

ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡିଶା ଏବଂ ଆଖପାଖରେ ଘନୀଭୂତ ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇସାରିଛି । ଫଳରେ ଆଜି ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଘଡଘଡି ସହ ବର୍ଷା ମଧ୍ୟ କେତେକ ସ୍ଥାନରେ ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ସେହିପରି ବାଲେଶ୍ୱର, ମୟୂରଭଂଜ, ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୟାଗଡ, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଛଡା ଅବଶିଷ୍ଟ ଜିଲ୍ଲାଗୁଡିକରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଆସନ୍ତା ୨୪ ଘଂଟା ବର୍ଷା ହେବା ପରେ ପରବର୍ତୀ ୨୪ ଘଂଟା ମଧ୍ୟରେ ବିଶେଷ କରି ପଶ୍ଚିମ ଓଡିଶା ତଥା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅବପାତର ପ୍ରଭାବରେ ଘଂଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । କେତେକ ସ୍ଥାନରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିପାରେ । ଏହା ଫଳରେ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକରେ ତୃତୀୟ ସ୍ତରର ସତର୍କ ସୂଚନା ଦିଆଯାଇଛି । ଆଜି ଅପରାହ୍ନ ପର୍ଯ୍ୟନ୍ତ ଅବପାତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ । ସଂଧ୍ୟା ସୁଦ୍ଧା ଏହା ଛତିିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ । ପୂର୍ବ ରାଜସ୍ଥାନ ଠାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ମନସୁନ୍ ଟ୍ରପ୍ ସୃଷ୍ଟି ହୋଇଛି । ତେଣୁ କିଛି ସ୍ଥାନରେ ବର୍ଷା ହେବ । ତେବେ ଆଜି ପରେ ବର୍ଷା କମିବ । ପୁଣି ୯ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।