ଏସସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଜାରି : ଯୋବ୍ରା ତାଳଦଣ୍ଡା କେନାଲ କଡରୁ ଦୋକାନ, କ୍ୟାବିନ ହଟାଉଛି ପ୍ରଶାସନ, ପୁଲିସ ଫୋର୍ସ ମୁତୟନ

173

କନକ ବ୍ୟୁରୋ : କଟକ ବଡ ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଯୋବ୍ରା ଅଞ୍ଚଳରୁ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ । ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ମାଛ ମାର୍କେଟ, କୁକୁଡା ବଜାର, ଦୋକାନ ଓ ଏକାଧିକ କ୍ୟାବିନକୁ ଜେସିବି ମେସିନ ସହାୟତାରେ ଭଙ୍ଗା ଯାଉଛି । ଉଚ୍ଛେଦ କାମ ସୁରୁଖୁରୁରେ ଚାଲିଥିବା ଜଣାଯାଇଛି । ଏହାପରେ ପାଖରେ ଥିବା ଅନ୍ୟାନ୍ୟ କ୍ୟାବିନ୍ ଓ ଦୋକାନଗୁଡ଼ିକୁ ଉଠାଯିବାର ଯୋଜନା ରହିଛି । ଘଟଣାସ୍ଥଳରେ ସିଏମସି କମିସନର୍ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ମିଶ୍ର ଓ କଟକ ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି) ପୁର୍ନବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ୩୦୦ରୁ ଅଧିକ ପରିବାର ପ୍ରଭାବିତ ହେବେ । ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।