ଆସନ୍ତାକାଲି ସୁପ୍ରିମକୋର୍ଟରେ ନିର୍ଭୟା ଶୁଣାଣି : ଦୋଷୀଙ୍କୁ ଏକାଠି ଫାଶୀ ଦେବା ନେଇ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର

469

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଦୋଷୀଙ୍କ ଫାଶୀ ଉପରେ ପଟିଆଲା ହାଉସ କୋର୍ଟ ଲଗାଇଥିବା ରହିତାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । ଯାହାକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି କେନ୍ଦ୍ର ।

ଜଣେ ଦୋଷୀର ଆବେଦନ ବିଚାରାଧୀନ ଥିଲେ ଅନ୍ୟ ଦୋଷୀଙ୍କୁ କାହିଁକି ଫାଶୀ ଦିଆଯିବନି ସେ ନେଇ କୋର୍ଟରେ ଅପିଲ କରିଥିଲେ କେନ୍ଦ୍ର ସରକାର । ଏହି ମାମଲାରେ କେନ୍ଦ୍ରର ଆବେଦନକୁ ଖାରଜ କରିବା ସହ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆ ଯାଇପାରିବନି ବୋଲି କହିଥିଲେ ଦିଲ୍ଳୀ ହାଇକୋର୍ଟ । ଏବଂ ସମସ୍ତ ଦୋଷୀଙ୍କ ଏକକାଳୀନ  ଫାଶୀ ଦିଆଯିବ ବୋଲି କହିଥିଲେ କୋର୍ଟ । ତେବେ ଦୋଷୀମାନଙ୍କୁ ସାତ ଦିନ ଭିତରେ ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେପଟେ ଆଲିଗଡ ମୁସଲିମ୍ ୟୁନିଭର୍ସିଟିରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦାବିରେ ରାଲି । ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରି ଏହି ରାଲି କରିଛନ୍ତି । କୋର୍ଟରୁ ତାରିଖ ନୁହଁ ଦୋଷୀଙ୍କୁ ସିଧାସଳଖ ଫାଶୀ ଦିଆଯିବା ଆବଶ୍ୟକ ବୋଲି ଅଲିଗଡ ମୁସଲିମ୍ ୟୁନିଭର୍ସିଟି ଛାତ୍ରଛାତ୍ରୀ ଦାବି କରିଛନ୍ତି । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ତାରିଖ ପରେ ତାରିଖ ଘୁଂଚି ଚାଲିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।