ଚଳିତବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

1,300

କନକ ବ୍ୟୁରୋ : ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ । ଚଳିତ ବର୍ଷ ପୁୁରୀରେ ହେବନି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଙ୍କଟ କାଳରେ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ମହାମାରୀ ସମୟରେ ରତାଯାତ୍ରକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରାୟ ଶୁଣାଇଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ବନ୍ଦ ରହିଲା ରଥଯାତ୍ରା ।

ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ହିଁ ନିଜେ କ୍ଷମା କରିବେନି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି ।

କୋଟି କୋଟି ଭକ୍ତଙ୍କ ମନ ଭାଙ୍ଗିଦେଲାସୁପ୍ରିମକୋର୍ଟ ରାୟ । କାଳିଆର ରଥ ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି କି ମହାପ୍ରଭୁଙ୍କୁ ଦେଖିବାକୁ ପୁରୀ ଯାଇପାରିବନି ଭକ୍ତ । କରୋନା ପାଇଁ ଜୁନ ୨୩ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିବ । ଜୋରସୋରରେ ରଥ ନିର୍ମାଣ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ।

ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୁରୀ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଖୁବ ଶୀଘ୍ର ପରିଚାଳନା କମିଟି ବୈଠକ ବସିବ । ଏହାପରେ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଗଜପତି ମହାରାଜ ।

ସେପଟେ ରଥଯାତ୍ରା ବନ୍ଦ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ହେବା ଯୋଗୁଁ ଗଭୀର ଆଘାତ ଲାଗିଛି । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା କଳଙ୍କ ଲାଗିଲା । ଆଗାମୀ ଦିନରେ ଛତିଶା ନିଯୋଗ ବୈଠକ ବସିବ ।