ରାଜଧାନୀରେ ବି ସୁରକ୍ଷିତ ନୁହଁନ୍ତି ଆଦିବାସୀ ଛାତ୍ରୀ : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ପାଠ ପଢ଼ିବା ସମୟରେ ମା’ ହେଉଛନ୍ତି ଛାତ୍ରୀ . . . .

234

କନକ ବ୍ୟୁରୋ : ରାଜ୍ୟରେ ଆଦିବାସୀ ଛାତ୍ରୀମାନଙ୍କ ପ୍ରତି ଅସଦାଚାରଣ ବୃଦ୍ଧି ପାଇଛି । ଦିନକୁ ଦିନ ସ୍ଥିତି ସାଂଘାତିକ ହେବାକୁ ବସିଲାଣି । କୌଣସି ପଛୁଆ ଅଂଚଳ ନୁହେଁ ରାଜଧାନୀ ଭୁବନେଶ୍ୱରରରେ ଏପରି ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀନିବସାରେ ୪ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି । ଆଦିବାସୀ ଅଧ୍ୟୁଷିତ ଅଂଚଳ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏପରି ସମ୍ବେଦନଶୀଳ ଘଟଣା ଘଟୁଛି । ହେଲେ ରାଜଧାନୀରେ ଏପରି ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ଚବାଚୀ ସୃଷ୍ଟି କରିଛି । ବ୍ୟାପକ କଟକଣା ସତ୍ୱେ ଆବାସିକ ବିଦ୍ୟାଳୟ ତଥା ଛାତ୍ରୀନିବାସରେ ଛାତ୍ରୀମାନେ ଗର୍ଭବତୀ ହେଉଛି । କୌଣସି ପଦକ୍ଷେପ ନେବା ବଳଦରେ ରାଜ୍ୟ ସରକାର ନୀରବ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଆଦିବାସୀ ମାନଙ୍କ ବିକାଶ କଥା କହୁୁଥିବା ନବୀନ ସରକାର କେବଳ ଆଦିବସୀଙ୍କ ନାଁରେ ଭୋଟ୍ ସାଉଣ୍ଟୁଛନ୍ତି । ନିର୍ବାଚନ ଶେଷ ହେବାମାତ୍ରେ ସେମାନଙ୍କ କଥା ଭୁଲିଯାଉଛନ୍ତି ସରକାର । ଆଦିବାସୀଙ୍କ କଲ୍ୟାଣ ଯୋଜାନା ହେଉ କି ସୁରକ୍ଷା ଉପରେ ହେଉ ଦୃଷ୍ଟି ଦିଆଯାଉନାହିଁ । ଆଜି ବି ଆଦିବାସୀ ଅବହେଳିତ , ପଛୁଆ । ନିରାଟ ସତ୍ୟ କଥା ହେଲା ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ନେତାମନ୍ତ୍ରୀ କେହି ଆଦିବାସୀ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା କଥା ଚିନ୍ତା କରୁନାହାନ୍ତି । ପାଠ ପଢ଼ିବା ସମୟରେ ମା’ ହେବା ନେଇ ଚିନ୍ତାପ୍ରକଟ କରିଛନ୍ତି ମୋହନ ମାଝୀ । ଏହାର ନିରାକରଣ ଦିଗରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସରକାର ଏପରି ସମ୍ବେଦଳଶୀଳ ଘଟଣାକୁ ଗୁରୁତର ସହ ନେତା ଉଚିତ । ତୁରନ୍ତ ଏପ୍ରସଙ୍ଗରେ ପଦକ୍ଷେପ ନଥିଲେ ଆଗାମୀ ଦିନରେ ଗୃହ ତଥା ଗୃହ ବାହାରେ ଭାରତୀୟ ଜନତା ପାର୍ଟି ସ୍ୱରକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମୁହଁ ଖୋଲିଛନ୍ତି । ରାଜ୍ୟ ସରକାରଙ୍କୁ ସିଧାଳଖ ଦାୟୀ କରିଛନ୍ତି ତାରା । କୋରାପୁଟ, ମାଲକାନଗିରି ତଥା ନବରଙ୍ଗପୁରରେ ଏପରି ଘଟଣା ବାରମ୍ବାର ଘଟୁଛି । ଏପରି ସମ୍ବେଦନଶୀଳ ଘଟଣା ଅନେକ ଥର ସାମ୍ନାକୁ ଆସିଲେ ମଧ୍ୟ ରାଜ୍ୟ ସରକାର ସଚେତନ ନୁହଁନ୍ତି । ଛାତ୍ରୀମାନେ ଛାତ୍ରୀନିବାସରେ କିପରି ସୁରକ୍ଷିତ ରହିବେ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ନିଜ ଦାୟିତ୍ୱକୁ ଭୁଲିବା ସହ ଆଦିବାସୀ, ହରିଜନଙ୍କ ପ୍ରତି ସରକାର ଅନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାରା ।

ସୂଚନାଯୋଗ୍ୟ ରାଜଧାନୀର ଏକ ଛାତ୍ରୀନିବାସରେ ୪ ଜଣ ଛାତ୍ରୀ ଗର୍ଭବତୀ ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଖୋଦ୍ ରାଜଧାନୀରେ ଯଦି ଆଦିବାସୀ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି ଅପନ୍ତରା ଅଞ୍ଚଳରେ ତାଙ୍କ ଅବସ୍ଥା କିପରି ଥିବ ବୋଲି ଆକଳନ ହୋଇପାରୁଛି । ତେବେ ଏହି ଘଟଣାକୁ ନେଇ କମିସନେରଟ୍ ପୋଲିସ ଖୋଳତାଡ଼ ଆରମ୍ଭ କରିଦେଇଛି । ଘଟଣା ସାମ୍ନାକୁ ଆସିବା ପରେ ଆଜି ରାଜ୍ୟ ସରକାରଙ୍କ ଘେରିଛନ୍ତି ବିରୋଧୀ ।