ପ୍ରଧାନ ବିଚାରପତିଙ୍କୁ ନେଇ ଚାଲିଥିବା ମହାଭିଯୋଗ ଚର୍ଚ୍ଚାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଲେ ସୁପ୍ରିମକୋର୍ଟ ! ରାଜନୈତିକ ବୟାନବାଜିକୁ ନେଇ ଚିନ୍ତା ପ୍ରକଟ କଲେ କୋର୍ଟ, ମାଗିଲେ ଆଟର୍ଣ୍ଣି ଜେନେରାଲଙ୍କ ରାୟ

27

କନକ ବ୍ୟୁରୋ : ପ୍ରଧାନ ବିଚାରପତିଙ୍କୁ ନେଇ ଚାଲିଥିବା ମହାଭିଯୋଗ ଚର୍ଚ୍ଚାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସାଂସଦମାନଙ୍କ ଦ୍ୱାରା ଯେଉଁଭଳି ବୟାନବାଜି ଚାଲିଛି ତାହା ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ଏ.କେ ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳଙ୍କ ରାୟ ମାଗିଛନ୍ତି । ଏହି ମାମଲାରେ ରାଜନୈତିକ ବୟାନବାଜି ଘୋର ଚିନ୍ତାଜନକ ବୋଲି କହିଛନ୍ତି ଖଣ୍ଡପୀଠ । ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମାମଲା ନେଇ କୋର୍ଟ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ଏଥିରେ ରୋକ ଲଗାଇବେ ନାହିଁ ।

ନିଜ ବକ୍ତବ୍ୟ ରଖିବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ଆଟର୍ଣ୍ଣି ଜେନେରାଲଙ୍କ ମତ ମିଳିବା ପରେ ମେ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଗତକାଲି କଂଗ୍ରେସ ନେତୃତ୍ୱରେ ୭ଟି ବିରୋଧୀ ଦଳ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କୁ ନୋଟିସ୍ ଦେଇଥିଲେ । ଏଥିରେ ୬୪ ଜଣ ସାଂସଦଙ୍କ ସ୍ୱାକ୍ଷର ରହିଛି । ସେପଟେ ବିଜେପିର ଅଭିଯୋଗ, ଦେଶର ନ୍ୟାୟିକ ବ୍ୟବସ୍ଥାକୁ ବଦନାମ କରିବାକୁ କଂଗ୍ରେସ ଚାଲ୍ କରୁଛି ।