ବେକାରିଙ୍କ ପାଇଁ ବଡ ଧରଣର ସୁଯୋଗ ଆଣିଦେବ ଏସବିଆଇ ! ଖୁବ୍ ଶୀଘ୍ର ସାଢେ ୯ହଜାର ନିଯୁକ୍ତି

40

କନକ ବ୍ୟୁରୋ : ବେକାରିଙ୍କ ପାଇଁ ବଡ ସୁଯୋଗ ଆଣିଦେବ ଭାରତୀୟ ଷ୍ଟେଟବ୍ୟାଙ୍କ । କାରଣ ଖୁବଶୀଘ୍ର ପ୍ରାୟ ସାଢେ ୯ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି ସଂସ୍ଥା । ୨୦୧୩ ପରେ ଏସବିଆଇ ସବୁଠାରୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏହାର ସହଯୋଗୀ ବ୍ୟାଙ୍କଗୁଡିକର ମିଶ୍ରଣ ପରେ ଅଧିକାଂଶ କର୍ମଚାରୀ ଚାକିରି ଛାଡିଦେବା କିମ୍ବା ସ୍ୱେଚ୍ଛାକୃତ ଅବସର ନେବା ଫଳରେ ସାମଗ୍ରୀକ ଭାବେ କର୍ମଚାରୀ ସଂଖ୍ୟା ୧୦ ହଜାର କମିଯାଇଛି ।

ଫଳରେ ବ୍ୟାଙ୍କ ଶାଖାଗୁଡିକରେ ଗ୍ରାହକଙ୍କୁ ସେବା ଯୋଗାଇବା ସମ୍ଭବ ହେଉନାହିଁ । ଏପରିକି ଜଣେ ଜଣେ କର୍ମଚାରୀଙ୍କୁ ଏକାଧିକ କାମ କରିବାକୁ ପଡୁଛି । ତେଣୁ ବ୍ୟାଙ୍କ ତାର ଗ୍ରାହକ ସେବାରେ ଉନ୍ନତି ଆଣିବା ପାଇଁ ଏଭଳି ବଡଧରଣର ନିଯୁକ୍ତି କରିବାକୁ ଯାଉଛି । ୨୦୧୭ ଆର୍ଥିକ ବର୍ଷ ଆରମ୍ଭରୁ ଏସବିଆଇରେ କର୍ମଚାରୀ ସଂଖ୍ୟା ପ୍ରାୟ ୨ ଲକ୍ଷ ୮୦ ହଜାର ଥିବାବେଳେ ସେପ୍ଟେମ୍ବର ବେଳକୁ ଏହା ୨ଲକ୍ଷ ୭୦ ହଜାରକୁ ଖସିଆସିଥିଲା । ମୋଟ ସାଢେ ୯ ହଜାରରୁ ପ୍ରାୟ ୧୧ଶହ ଚାକିରି ସଂରକ୍ଷିତ ବର୍ଗଙ୍କ ପାଇଁ ରହିବ । ବ୍ୟାଙ୍କରେ ଅଧିକାଂଶ କାମ ଅନଲାଇନରେ ହେବା ପରେ କର୍ମଚାରୀଙ୍କ ଆବଶ୍ୟକତା ଯଥେଷ୍ଟ କମିଛି, ହେଲେ ଗ୍ରାହକ ସେବା ପାଇଁ ନୂଆ କର୍ମଚାରୀ ଆବଶ୍ୟକ କରୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ।