ପାର୍ବଣ ଋତୁ ପ୍ରାରମ୍ଭରେ ଏସବିଆଇର ଉପହାର : ଜମା ଓ ଋଣ  ଉପରୁ ସୁଧ ହାର କମାଇବାକୁ ନିଷ୍ପତ୍ତି

1,376

କନକ ବ୍ୟୁରୋ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ ଘୋଷଣା । ଋଣ ଓ ସ୍ଥାୟୀ ଜମା ଉପରେ ସୁଧ ହାର କମାଇବାକୁ ଘୋଷଣା କଲା ବ୍ୟାଙ୍କ । ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ ଆସନ୍ତାକାଲିଠାରୁ ସୁଧ ହାର ୧୦ ବେସିକ୍ ପଏଂଟ ହ୍ରାସ କରାଯିବ । ଏହା ଚଳିତ ଆର୍ଥିକ ବର୍ଷଠାରୁ ଲାଗୁ ହେବ ।  ବାର୍ଷିକ ମାର୍ଜିନାଲ ଲେଣ୍ଡିଙ୍ଗ ରେଟ୍ ବା ଏମସିଏଲଆର ୮ଦଶମିକ୍ ଦୁଇ ପାଂଚ ପ୍ରତିଶତରୁ କମାଇ ୮ଦଶମିକ ଏକ ପାଂଚ ପ୍ରତିଶତ ହେବ । ସୁଧ ହାର ହ୍ରାସ ପାଇବା ଦ୍ୱାରା ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଇଏମଆଇ କମିବ । ଋଣଗ୍ରହିତାଙ୍କୁ ଏହା ଲାଭପ୍ରଦ ହେବ । 

ଅନ୍ୟପଟେ ଫିକ୍ସ ଡିପୋଜିଟ୍ ଉପରେ ମଧ୍ୟ ସୁଧ ହାର ହ୍ର୍ରାସ କରିବାକୁ ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଯାହା ଫଳରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିବା ଗ୍ରାହକମାନଙ୍କୁ କିଛି ପରିମାଣରେ କ୍ଷତି ସହିବାକୁ ପଡିବ । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି । ମେ’ ମାସ ପରେ ଏହା ଷ୍ଟେଟ ବ୍ୟାଙ୍କର ପଂଚମ ଥର ସୁଧ ହାର ହ୍ରାସ । ଅକ୍ଟୋବର ପହିଲା ସୁଧା ନୂଆ ସୁଧ ହାର ହ୍ରାସ ଲାଗୁ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ।  ଏବେ ସମଗ୍ର ଦେଶରେ ୨୨, ୦୦୦ରୁ ଅଧିକ ଶାଖା ଥିବା ଷ୍ଟେଟ୍ ବ୍ୟାଙ୍କ୍ ଭାରତର ସର୍ବ ବୃହତ୍ ବ୍ୟାବସାୟିକ ବ୍ୟାଙ୍କର ମାନ୍ୟତା ପାଇଛି।