ଆଜିଠୁ ଦେଶବ୍ୟାପୀ କଂଗ୍ରେସର ସମ୍ବିଧାନ ବଂଚାଅ ଅଭିଯାନ ! ବିଜେପି ଶାସନ କାଳରେ ସମ୍ବିଧାନ ଓ ପଛୁଆବର୍ଗ ବିପଦରେ ଥିବା ଅଭିଯୋଗ, ରାହୁଲ କରିବେ ସଚେତନ

22

କନକ ବ୍ୟୁରୋ : କଂଗ୍ରେସର ସମ୍ବିଧାନ ବଂଚାଅ ଅଭିଯାନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜିଠାରୁ ଆରମ୍ଭ କରିବେ ସମ୍ବିଧାନ ବଂଚାଅ ଅଭିଯାନ । ବିଜେପି ଶାସିତ ସରକାରରେ ସମ୍ବିଧାନ ଓ ପଛୁଆ ବର୍ଗର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ଦେଶବ୍ୟାପୀ ଏହି ଅଭିଯାନ ଚଳାଇବେ ରାହୁଲ । ସଚେତନତା ସୃଷ୍ଟି କରିବା ପାଇଁ ରାହୁଲ ଏହି କ୍ୟାମ୍ପେନ୍ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସମ୍ବିଧାନ ବଂଚାଅ ଅଭିଯାନର ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ଗୁଲାମ ନବୀ ଆଜାଦ୍, ମଲିକାଜୁର୍ନ ଖଡଗେ ଓ ସୁଶୀଲ କୁମାର ସିନେ୍ଧଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଓଡ଼ିଶାରେ କଂଗ୍ରେସ ପାଇଛି ପୁନର୍ଜୀବନ । ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପୁଣି ଥରେ ପିସିସି ସଭାପତି ହେବା ପରେ ଚଳଚଂଚଳ ହୋଇ ଉଠିଛି ରାଜ୍ୟ କଂଗ୍ରେସ ଶିବିର । ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ନିଷ୍ପତି ହୋଇଛି । ଏହା ସହ କଂଗ୍ରେସର ଫୋକସରେ ଓଡିଶା ରହିଥିବା ବେଳେ ଆବଶ୍ୟକ ହେଲେ ପ୍ରତି ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ଏପଟେ ତୃଣମୂଳ ସ୍ତରରୁ ଲୋକଙ୍କ ସହ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।