ସୌଭାଗ୍ୟ ଯୋଜନାରେ ଅନିୟମିତତା: ବିଦ୍ୟୁତ୍ ସଂଯୋଗ ହୋଇଛି ହେଲେ ମିଟର ଲାଗୁନି, ମନଇଚ୍ଛା ମାସିକ ଦେୟ ମାଗୁଛନ୍ତି କର୍ମଚାରୀ

ସୌଭାଗ୍ୟ ଯୋଜନାରେ ଅନିୟମିତତା: ବିଦ୍ୟୁତ୍ ସଂଯୋଗ ହୋଇଛି ହେଲେ ମିଟର ଲାଗୁନି, ମନଇଚ୍ଛା ମାସିକ ଦେୟ ମାଗୁଛନ୍ତି କର୍ମଚାରୀ

https://www.business-standard.com

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଥିବା ଲୋକମାନଙ୍କ ନିକଟରେ ବିଦ୍ୟୁତ୍ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଥିଲା । ୨୦୧୭ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୧୮ ଡିସେମ୍ବରରେ ଏହି ଯୋଜନାର ଅବଧି ଶେଷ ଥିଲା । ତେବେ ପରବର୍ତୀ ସମୟରେ ଏହାର ଅବଧି ୨୦୧୯ ମାର୍ଚ ପର୍ଯ୍ୟନ୍ତ ବଢ଼ା ଯାଇଥିଲା । ଇତିମଧ୍ୟରେ ସୌଭାଗ୍ୟ ଯୋଜନା ଅବଧି ସରିଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାର ସମସ୍ତ ଉପଭୋକ୍ତାଙ୍କ ଘରେ ମିଟର ବସାଯାଇ ପାରିନି । ଏହାକୁ ନେଇ ଏବେ ସମସ୍ୟାରେ ବିଦ୍ୟୁତ୍‌ ଉପଭୋକ୍ତା ।

ନିୟମ ମୁତାବକ ବିପିଏଲ୍ ହୁଅନ୍ତି କି ଏପିଏଲ୍ ସମସ୍ତଙ୍କୁ ଏଥିରେ ମାଗଣା‌ରେ ମିଟର୍‌, ଦୁଇଟି ବଲ୍‌ବ, ତାର, ସୁଇଚ୍ ଆଦି ଯୋଗାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଅନେକ ଉପଭୋକ୍ତାଙ୍କଠାରୁ ଏ ନେଇ ବିଦ୍ୟୁତ ସଂଯୋଗ ଦେବାକୁ ଯାଉଥିବା କର୍ମଚାରୀ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆସିଛି । ବିଦ୍ୟୁତ ଉପକରଣ ମଧ୍ୟ ପ୍ରଦାନ କରୁନାହାନ୍ତି । ଖୋଦ୍ ନୟାଗଡ଼ ବ୍ଳକ୍‌ ବଡ଼ପଣ୍ଡୁସର ଗ୍ରାମରେ ଏଭଳି ଘଟିଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍‌ରେ ଏହା ସୀମା ଲଙ୍ଘିଛି । ଏହି ଯୋଜନାରେ ପ୍ରାୟ ଏକ ବର୍ଷ ହେବ ବିଦ୍ୟୁତ ସଂଯୋଗ ଦିଆ ସରିଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଘରେ ମିଟର ବସାଯାଇନାହିଁ । ବିଦ୍ୟୁତ୍‌ ଦେୟ ଆଦାୟ କରିବାକୁ ଯାଉଥିବା କର୍ମଚାରୀ ମନଇଚ୍ଛା ମାସିକ ବିଦ୍ୟୁତ ଦେୟ ପ୍ରଦାନ କରିବାକୁ କହୁଥିବା ବଡ଼ପଣ୍ଡୁସରଗ୍ରାମର ବ୍ରଜକିଶୋର ପ୍ରଧାନ, ସତ୍ୟବାନ ସାହୁ, ନୀଳମଣି ପ୍ରଧାନ, ନିରୁପମା ମହାନ୍ତି, ବନମାଳି ମହାନ୍ତି, ଶତ୍ରୁଘ୍ନ ବେହେରା ପ୍ରମୁଖ କହିଛନ୍ତି । ଏପରିକି ଏଭଳି ଘଟଣା ନେଇ ଫିଡ୍‌କୋ ଏସ୍‌ଡିଓଙ୍କୁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ଫରକ ପଡ଼ିନାହିଁ । ମିଟର ବସାଯାଉନଥିବା ବେଳ ମନଇଚ୍ଛା କାହିଁକି ବିଦ୍ୟୁତ ଦେୟ ଦାବି କରାଯାଉଛି ତାକୁ ନେଇ ସଂପୃକ୍ତ ଉପଭୋକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଏହି ଯୋଜନା‌ରେ ବ୍ୟାପକ ଅନିୟମିତତା କରାଯାଇଥିବା ସନ୍ଦେହ ମଧ୍ୟ ଘନିଭୂତ ହୋଇଛି ।

ଜିଲ୍ଲାରେ ପୂର୍ବରୁ ବିଦ୍ୟୁତ ସଂଯୋଗ ଥିବା ପରିବାର ଏହି ଯୋଜନାରେ ଦ୍ବିତୀୟ ଥର ସଂଯୋଗ ନେଇଥିବା, କେନ୍ଦ୍ର ସରକାର ଯୋଗାଉଥିବା ମାଗଣା ବିଦ୍ୟୁତ ଉପକରଣରେ ବାଟମାରଣ ଆଦି କରାଯାଇଥିବା ମଧ୍ୟ ଅଭିଯୋଗ ଆସିଛି। ସୂଚନା ଅଧିକାର କର୍ମୀ ବ୍ରଜ କିଶୋର ପ୍ରଧାନ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ଉପଭୋକ୍ତାଙ୍କ ତାଲିକା, କେଉଁକେଉଁ ବିଦ୍ୟୁତ ଉପକରଣ ମାଗଣାରେ ଯୋଗାଯାଇଛି ସେ ସମ୍ପର୍କିତ ତଥ୍ୟ ଗତ ନଭେମ୍ବର ମାସ ୨୭ ତାରିଖରେ ମାଗିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ନୟାଗଡ଼ ସେସୁ କର୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଫଳରେ ବାଧ୍ୟ ହୋଇ ଶ୍ରୀ ପ୍ରଧାନ ଏଥିନେଇ ଗତ ଏପ୍ରିଲ ମାସ ୫ ତାରିଖରେ ରାଜ୍ୟ ସୂଚନା ଅଧିକାର କମିସନଙ୍କ କୋର୍ଟରେ ମାମଲା ଦାୟାର କରିଛନ୍ତି। କେବଳ ନୟାଗଡ଼ ବ୍ଳକର ନୁହେଁ ଜିଲ୍ଲାର ସମସ୍ତ ବ୍ଲକରେ ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟ ପାଲଟିଛି। ମିଟର ବାବଦରେ ସେସୁ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ସାହୁ କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ଆମେ ମିଟର ଲଗାଉଛୁ। ବର୍ତମାନ କାର୍ଯ୍ୟ ଜାରି ରହିଛି। ସମସ୍ତଙ୍କ ଘରେ ମିଟର ବସାଯିବ। ଅଧିକ ଟଙ୍କା ଯଦି କେହି କର୍ମଚାରୀ ଦେବାକୁ ବାଧ୍ୟ କରୁଛି, ଲୋ‌କମାନେ ଏହା ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe