ଅନ୍ତରୀଣ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି : ଦାୟିତ୍ୱ ନେବାପରେ କହିଲେ, ଆଇନଶୃଙ୍ଖଳା ରକ୍ଷା ହେବ ପ୍ରଥମ କାମ

251

କନକ ବ୍ୟୁରୋ : ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ପୋଲିସ ଡିଜି ବିଜୟ ଶର୍ମା ବିଦା ହେବା ପରେ ଅନ୍ତରୀଣ ପୋଲିସ ଡିଜି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଅନ୍ତରୀଣ ପୋଲିସ ଡିଜି ଦାୟିତ୍ୱ ନେବା ସହିତ ପୋଲିସ ଅଫିସରଙ୍କ ସହିତ ସେ ଆଲୋଚନା କରିଛନ୍ତି । ରାଜ୍ୟରେ ଆଇନଶୃଂଖଳା ରକ୍ଷା କରିବା ମୋର ପ୍ରାଥମିକତା ବୋଲି ସେ କହିଛନ୍ତି ।

ପୋଲିସ ଡିଜିଙ୍କ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ବୁଧବାର ରାତିରେ ସେ ନିଜ ବାସଭବନରେ ଔପଚାରିକ ଭାବେ ନୂଆ ଡିଜି ଦାୟିତ୍ୱ ନେଇଥିଲେ । ଏହାପରେ ଆଜି ସେ ଦାୟିତ୍ୱଗ୍ରହଣ କରିଛନ୍ତି । ବିଜୟ ଶର୍ମାଙ୍କ ପରେ ଆଇପିଏସ୍ ଅଭୟ ହେବେ ରାଜ୍ୟର ପୂର୍ଣ୍ଣକାଳୀନ ପୋଲିସ ଡିଜି । ସେ ଏବେ ଡେପୁଟେସନରେ ଅଛନ୍ତି । ଡେପୁଟେସନରୁ ଫେରିବା ପରେ ଆଇପିଏସ୍ ଅଭୟ , ରାଜ୍ୟ ପୋଲିସର ମହାନିର୍ଦ୍ଦେଶକ ଦାୟିତ୍ୱ ନେବେ । ତାଙ୍କର ଫେରିବା ଯାଏଁ ଏବେ ଅନ୍ତରୀଣ ଡିଜି ଭାବରେ ପୋଲିସ ଡିଜି ଦାୟିତ୍ୱ ତୁଲାଇବେ ସତ୍ୟଜିତ୍ ମହାନ୍ତି ।

ବିଜୟ କୁମାର ଶର୍ମାଙ୍କୁ ପୋଲିସ ଡିଜି ପଦରୁ ହଟାଇବା ପରେ ଗୃହ ବିଭାଗ ଓଏସ୍ଡି ଦାୟିତ୍ୱ ଦିଆଯାଇଛି । ସେହିପରି ସୁନିଲ ରାୟଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଡିଜି ଦାୟିତ୍ୱ ମିଳିଛି । ସତ୍ୟଜିତ୍ ମହାନ୍ତି ଅନ୍ତରୀଣ ଡିଜି ସହ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ । ସତ୍ୟଜିତ୍ ମହାନ୍ତି ହେଉଛନ୍ତି ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ।