କେନ୍ଦ୍ରାପଡାର ସାତଭାୟାବାସୀଙ୍କୁ ଡରାଉଛି ସମୂଦ୍ର ! ଚିନ୍ତାରେ ଥଇଥାନରୁ ବଂଚିତ ୧୪୮ ପରିବାର

47

କନକ ବ୍ୟୁରୋ : ସମୁଦ୍ର କୂଳରେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଥିବା ପରିବାରଙ୍କ ପାଇଁ ରହିଛି ଥଇଥାନ ବ୍ୟବସ୍ଥା । କେନ୍ଦ୍ରାପଡା ଜିଲ୍ଲା ସାତଭାୟାର ଅନେକ ପରିବାରଙ୍କୁ ବଗପାଟିଆରେ ଥଇଥାନ କରୁଛନ୍ତି ସରକାର । ହେଲେ ଏହି ଥଇଥାନ ବ୍ୟବସ୍ଥାରୁ ବାଦ୍ ପଡି ଯାଇଛନ୍ତି ଆଉ କିଛି ପରିବାର । କାଗଜପତ୍ର କିମ୍ବା ସରକାରୀ କଳର ତ୍ରୁଟି ଯୋଗୁ ଏପରି ହୋଇଛି ତାହା ବଡକଥା ନୁହେଁ । ଏବେ ସମସ୍ୟା ହେଉଛି ଥଇଥାନରୁ ବାଦ୍ ପଡିଥିବା ଏହି ବାକି ପରିବାର ସବୁ ଯିବେ କୁଆଡେ ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ର ସାତଭାୟା ଅଂଚଳର ଲୋକଙ୍କ ଦୁଃଖ ବଢ଼ିଯାଇଛି । ସମୂଦ୍ରର ଅାଁରେ ଲୀନ ହେବାକୁ ବସିଛି ସାତଭାୟା । ଯେଉଁଥି ପାଇଁ ସାତଭାୟା ଅଂଚଳବାସୀଙ୍କ ପାଇଁ ଅଂଚଳକୁ ନେଇ ସରକାରଙ୍କ ପକ୍ଷରୁ ହୋଇଛି ଥଇଥାନ ବ୍ୟବସ୍ଥା । ହେଲେ ୫୭୧ ପରିବାରଙ୍କୁ ବଗପାଟିଆରେ ଥଇଥାନ କରାଯାଉଥିବା ବେଳେ, ୧୪୮ ପରିବାର ବାଦ୍ ପଡିଥିବା ନେଇ ହୋଇଛି ଅଭିଯୋଗ । ଗାଁରୁ ଅନେକ ପରିବାର ବଗପାଟିଆକୁ ଚାଲି ଯାଇଥିବା ବେଳେ ସରକାରୀ ସଂସ୍ଥା ସବୁ ବି ହୋଇଛି ସ୍ଥାନାନ୍ତର । ଆଉ ଥଇଥାନରୁ ବାଦ୍ ପଡିଯାଇଥିବା ଏହି ପରିବାର ସବୁ ଏବେ ଭୋଗୁଛନ୍ତି ବିଭିନ୍ନ ସମସ୍ୟା ।

satabhaya problem

ସାତଭାୟା ପଂଚାୟତର ୭ଟି ଗାଁ ମଧ୍ୟରୁ ୪ଟି ଗାଁ ସମୁଦ୍ରରେ ଲୀନ ହୋଇ ସାରିଛି । ଯେଉଁଥି ପାଇଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଥଇଥାନରୁ ବଂଚିତ ହୋଇଥିବା ଗ୍ରାମବାସୀ । ଜାଗା ବଂଟା ଇତ୍ୟାଦିରେ ଅନିୟମିତତା ଯୋଗୁ ଥଇଥାନରୁ ବାଦ୍ ପଡିଥିବା କିଛି ପରିବାର ଅଭିଯୋଗ କରିଛନ୍ତି । ସେପଟେ ଥଇଥାନ ଦାୟିତ୍ୱରେ ଥିବା ରାଜନଗର ତହସିଲଦାରଙ୍କ ବଦଳି ହୋଇଯାଇଛି । ଯେଉଁଥି ପାଇଁ ଥଇଥାନ କାର୍ଯ୍ୟରେ ବିଳମ୍ବ ହେଉଥିବା କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଦିନକୁ ଦିନ ସମୁଦ୍ର ଗାଁ ଆଡକୁ ମାଡି ଆସୁଥିବାରୁ ଥଇଥାନରୁ ବାଦ୍ ପଡିଥିବା ସାତଭାୟା ବାସୀଙ୍କୁ ତୁରନ୍ତ ଜାଗା ଯୋଗାଇ ଦେବା ପାଇଁ ଦାବି ହେଉଛି