ବଢିଲା ସର୍ବକ୍ଷମା ଅବଧି : ଲୋକଙ୍କ ଭିଡ ଓ ଆଗ୍ରହ ଦେଖି ୧୫ ଦିନ ଅବଧି ବଢାଇଲେ ସରକାର, କଣ୍ଟ ପୂରିବା ପରେ ବେଆଇନ୍ ନିର୍ମାଣକାରୀଙ୍କୁ ଆଉ ନିସ୍ତାର ନାହିଁ

683

କନକ ବ୍ୟୁରୋ : ବଢ଼ିଲା ସର୍ବକ୍ଷମା ଅବଧି । ପୁଣି ସର୍ବକ୍ଷମା ଅବଧି ବୃଦ୍ଧ କଲେ ସରକାର । ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ଼ ଓ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନିଆଯାଇଛି । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ୧୫ ଦିନ ପରେ ଆଉ ବିଆଇନ୍ ନିର୍ମାଣକାରୀଙ୍କୁ ମହଲତ ମିଳିବନି ।  ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଅନ୍ୟପଟେ ଆଗକୁ ଆଉ ସର୍ବକ୍ଷମା ଅବଧି ବୃଦ୍ଧି କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଫେବ୍ରୁଆରି ୫ ତାରିଖକୁ ଡେଡଲାଇନ୍ ଘୋଷଣା କରାଯାଇଥିଲା ।  ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ରାଜ୍ୟ ସରକାର । ଏପରିକି ଯେଉଁମାନେ ବେଆଇନ୍ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକା ବା ପ୍ଲଟ୍ ଧାରୀ ସର୍ବକ୍ଷମାରେ ଆବେଦନ କରିନଥିବେ ତାଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଥିଲା । ହେଲେ ଏବେ ସର୍ବକ୍ଷମାକୁ ଆଉ ୧୫ ଦିନ ପାଇଁ ବଢ଼ାଇ ଦିଆଯାଇଛି ।

ରାଜ୍ୟର ୯ ଟି ସହର ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର-ଅନୁଗୁଳ, ବ୍ରହ୍ମପୁର, ସମ୍ବଲପୁର, କଳିଙ୍ଗ ନଗର, ପାରାଦୀପ ଏବଂ ପୁରୀ-କୋଣାର୍କ ଡେଭଲପମେଂଟ ଅଥରିଟୀରେ ଏହି ସର୍ବକ୍ଷମା ଯୋଜନା ଲାଗୁ ହେଉଛି । ସମୟ ବୃଦ୍ଧି ପରେ ଫେବ୍ରୁଆରୀ ୨୦ ତାରିଖ ସର୍ବକ୍ଷମା ଯୋଜନାର ନୂଆ ଡେଡଲାଇନ୍ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ଅବୈଧ ନିର୍ମାଣକୁ ନିର୍ଦ୍ଧାରିତ ଜୋରିମାନା ଦେଇ ବୈଧ କରାଯାଇପାରିବ । ଏହା ପରେ କିନ୍ତୁ ଅବୈଧ ନିର୍ମାଣ ଠାବ ହେଲେ ସରକାର ନେବେ କାର୍ଯ୍ୟାନୁଷ୍ଠାନ ।

୨୦୧୮ ଜୁନରେ ପ୍ରଥମେ ସର୍ବକ୍ଷମା ଯୋଜନା ଆଣିଥିଲେ ସରକାର । ଉଦ୍ଦେଶ୍ୟ ଥିଲା ବେଆଇନ ନିର୍ମାଣକୁ ଲୋକ କିପରି ବୈଧ କରିପାରିବେ । ୨୦୧୯ ଅଗଷ୍ଟରେ ସର୍ବକ୍ଷମା ସମୟ ସୀମାକୁ ଫେବୃଆରୀ ୫ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଏବେ ଆସନ୍ତା ୨୦ ତାରିଖକୁ ସର୍ବକ୍ଷମାର ନୂଆ ଡେଡଲାଇନ ସ୍ଥିର କରାଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।