ଚାହିଁଲେବି ଖସିପାରିବେନି ଆତ୍ମଘୋଷିତ ବାବା : ସାରଥୀଙ୍କ ଉପରେ କ୍ରାଇମବ୍ରାଞ୍ଚର କଡ଼ା ନଜର

243

କନକ ବ୍ୟୁରୋ : ଜେଲରୁ ବାହାରିଲେ, ହେଲେ ବିବାଦ ପିଛା ଛାଡ଼ୁନାହିଁ । ସନ୍ତୋଷ ରାଉଳ ତଥା ଭଣ୍ଡବାବା ସାରଥୀଙ୍କ ଉପରେ ରହିବ କ୍ରାଇମବ୍ରାଞ୍ଚର କଡ଼ା ନଜର । ଚେଷ୍ଟା କଲେ ବି ଖସିପାରିବେ ନାହିଁ ଆତ୍ମଘୋଷିତ ବାବା ସାରଥୀ । ସାରଥୀଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ । ସାରଥୀଙ୍କ ସମସ୍ତ ଗତିବିଧି ଉପରେ ରିପୋର୍ଟ ନେବ କ୍ରାଇମବ୍ରାଞ୍ଚ । ସର୍ତ୍ତ ଖିଲାପ ଅଭଯୋଗ ଆସିଲେ ସାରଥୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୪ ବର୍ଷ ପରେ ଗତକାଲି ଚୌଦ୍ୱାର ଜେଲରୁ ବାହାରିଥିଲେ ସନ୍ତୋଷ ରାଉଳ ଓରଫ ସାରଥୀ । ତେବେ ଖବର ଅନୁସାରେ, ଜେଲରୁ ବାହାରିବା ପରେ ସାରଥୀ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ସାରଥୀଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କୋର୍ଟ କଟକଣା ଜାରି କରିଛନ୍ତି । ତେଣୁ ସାରଥୀ ଏବେ କେଉଁଠି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ସୋମବାର, ସାରଥୀଙ୍କୁ ତୃତୀୟ ମାମଲାରେ ଜାମିନ୍ ଦେଇଥିଲେ ହାଇକୋର୍ଟ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ୍ରେ ଯିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ । ତେବେ ଜାମିନ୍ ମଂଜୁର କରିବା ସହ ସର୍ତ୍ତ ରଖିଥିଲେ ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସର୍ତ ମୂତାବକ, ସାରଥୀ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ । ଧାର୍ମିକ ସମାବେଶ ଓ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ  । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ ।