କନକ ବ୍ୟୁରୋ : କେବିକେ ଯୋଜନାକୁ ନେଇ ଗୃହରେ ଉଦବେଗ । ବିଧାନସଭାରେ ପୁଣି ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । କେବିକେ ଅଞ୍ଚଳ ଗୁଡ଼ିକୁ ଅନୁଦାନ ବନ୍ଦ କରିଦେଇଛି କେନ୍ଦ୍ର । କେବିକ ଯୋଜନା କାହିଁକି ବନ୍ଦ ହେଲା ବୋଲି ପ୍ରଶ୍ନ କରିଛନ୍ତି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର କେବିକେ ଯୋଜନା ଆରମ୍ଭ କରିଥିଲେ । କେଉଁ ପରିପେକ୍ଷୀରେ କେନ୍ଦ୍ର ସରକାର ଏହି ଯୋଜନା ବନ୍ଦ କରିଛନ୍ତି । ରାଜ୍ୟ ସରକାର ଗୋଟିକ ପଟେ ଗୋଟିଏ ବିଲ ପାରିତ କରିବାରେ ମୋଦି ସରକାରଙ୍କୁ ସମର୍ଥନ ଜଣାଉଛନ୍ତି । ସମର୍ଥନର ପ୍ରତିବଦଳରେ ନବୀନ ସରକାର କେନ୍ଦ୍ର ପାଖରେ କିଛି ସର୍ତ୍ତ ରଖିବା ଜରୁରୀୀ । ପ୍ରତିବଦଳରେ କେବିକେ ଅଞ୍ଚଳରେ କିଛି ନୂଆ ଯୋଜନା ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇବା ଆବଶ୍ୟକ ।

Advertisment

ତେବେ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୨୦୧୭-୧୮ରୁ କେବିକେ ପାଇଁ ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ରାଜ୍ୟ ବହୁ ଅନୁରୋଧ କଲେ ବି କିଛି ଲାଭ ହୋଇନି । କେବିକେ ଅନୁଦାନ ପାଇଁ ରାଜ୍ୟ ସରକାର ଭଲ ଭାବରେ ଅବଗତ । କେନ୍ଦ୍ରକୁ ଅନେକ ଥର ଏଥିପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କେବିକେ ଅନୁଦାନ ଦେବା ନା ଧରୁନି କେନ୍ଦ୍ର । ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କେବିକେ ଅଞ୍ଚଳର ବିକାଶ କରାଇବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ଅଣଦେଖା କରିବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାଶ ଚେଷ୍ଟା ଚଳାଇଛନ୍ତି । କେବିକେ ଯୋଜନା ବନ୍ଦ ପରେ ବିଜୁ କେବିକେ ଯୋଜନା କାର୍ଯ୍ୟକରିଥିଲେ ରାଜ୍ୟ ସରକାର । ତେଣୁ ବିଜୁ କେବିକେ ଯୋଜନାରୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି ।

ଏହାସହ ସେ କହିଛନ୍ତି କେନ୍ଦ୍ର ୨୦୧୪ରୁ ୧୬-୧୭ ଯାଏଁ ଅନୁଦାନ ସ୍ୱରୂପ ୭୫୦ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିଥିଲା । ଆଉ ପରିବର୍ତ୍ତୀ ସମୟରେ କେବିକେ ଯୋଜନା ବନ୍ଦ ହୋଇଥିଲା । ୨୦୧୭-୧୮ରୁ କେବିକର ସ୍ୱତନ୍ତ୍ର ଅନୁଦାନ ବନ୍ଦ କରିଦେଇଛି କେନ୍ଦ୍ର । ଫଳରେ କେବିକେ ଅଞ୍ଚଳ ଗୁଡ଼ିକରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ୧୯୯୮-୧୯୯୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ କେନ୍ଦ୍ର ମୋଟ ୩୩ ଶହ ୪୩ କୋଟି ୯୫ ଲକ୍ଷ ଟଙ୍କା ଅନୁଦାନ ହିସାବରେ ଦେଇଛି । ଏଥି ମଧ୍ୟରୁ ୩୨ଶହ ୮୯ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପାଖାପାଖି ମାତ୍ର ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନଥିଲା । ବିଜୁଳି ସଡକ ଓ ପାଣିକୁ ବିଜୁ କେବିକେ ଯୋଜନାରେ ପ୍ରଧାନ୍ୟ ଦିଆଯାଉଛି ।