ବିଏମସି ପକ୍ଷରୁ ଆଜି ଠାରୁ ଡ୍ରୋନ୍ ମାଧ୍ୟମରେ ହେବ ବିଶୋଧକ ସିଂଚନ : ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ କରାଯିବ ବିଶୋଧନ

134

କନକ ବ୍ୟୁରୋ : କରୋନା ବିରୋଧୀ ଯୁଦ୍ଧରେ ବିଶୋଧନ ଉପରେ ଅଧିକରୁ ଅଧିକ ଜୋର ଦିଆଯାଉଛି । ଏନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯାଉଛି । ଆଜି ଠାରୁ ପରୀକ୍ଷାମୂଳକ ଭାବେ ରାଜଧାନୀରେ ଡ୍ରୋନ୍ ସହାୟତାରେ ବିଶୋଧକ ସିଂଚନ କରାଯିବ । ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ ଏହି ବିଶୋଧକ ସ୍ପ୍ରେ କାମ ଚାଲିବ । ଏହି ସମୟରେ ସମ୍ପୃକ୍ତ ଅଂଚଳର ଲୋକମାନେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଭୁବନେଶ୍ୱରର ବସ୍ତି ଗୁଡ଼ିକରେ ଆଜି ଠାରୁ ବିଏମସି ପକ୍ଷରୁ ସ୍ୱାସ୍ଥ୍ୟ ସର୍ଭେ କରାଯିବ । ପ୍ରତି ଅଙ୍ଗନବାଡ଼ି ଅଂଚଳରେ ଥିବା ଘର ଗୁଡ଼ିକୁ ଯାଇ ସ୍ୱତନ୍ତ୍ର ଟିମ୍ ସ୍ୱାସ୍ଥ୍ୟ ସର୍ଭେ କରିବେ ।

ସେପଟେ ରାଜ୍ୟରେ କରୋନା ବିରୋଧୀ ଲଢ଼େଇରେ ଏକ ଭଲ ଖବର । ଆଉ ୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁସ୍ଥ ହୋଇଥିବା ୫ ଜଣ ଯାକ ଭୁବନେଶ୍ୱରର । ପୂର୍ବରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ଏବେ ୩୬ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ରାଜ୍ୟରେ ମୋଟ୍ ୫୫ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି, ୩୬ ଜଣଙ୍କର ଏବେ ଚିକିତ୍ସା ଚାଲିଛି । ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।