କରୋନାର କୋକୁଆ ଭୟ ! ଯାଜପୁର ଘରୋଇ ବସଷ୍ଟାଣ୍ଡରେ ଆରମ୍ଭ ହେଲା ସାନିଟାଇଜେସନ୍ 

318

କନକ ବ୍ୟୁରୋ : କରୋନ ଭୂତାଣୁ ପାଇଁ ସମସ୍ତେ ଭୟଭୀତ । ଏପରି ସମୟରେ ଭୟଭୀତ ନହୋଇ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି । ଓଡ଼ିଶାରେ କରୋନା ମୁକାବିଲା କରିବା ପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି ।

ଯାଜପୁର ବସଷ୍ଟାଣ୍ଡରେ ଆଜି ସକାଳୁ ଏଠାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ସବୁ ବସକୁ ସାନିଟାଇଜେସନ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୩୧ତାରିଖ ପର୍ୟ୍ୟନ୍ତ ଜାରି ରହିବ । ଏଥିପାଇଁ ମା’ବିରଜା ଟ୍ରେଡର୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ୫ ଜଣିଆ ଟିମ୍ ଆସି କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ଛୋଟବଡ଼ ଯାତ୍ରୀବାହୀ ଗାଡ଼ିଗୁଡିକୁ ମଧ୍ୟ ସାନିଟାଇଜେସନ୍ କରିବା ସହ ଯାତ୍ରୀମାନଙ୍କୁ ବାରମ୍ବାର ହାତ ଧୋଇବାକୁ ସୂଚନା ଦିଆଯିବା ସହ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ବସ ଷ୍ଟାଣ୍ଡରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରାଯାଉଛି ।

ଏହାପୂର୍ବରୁ ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନ ଯାତ୍ରାକୁ ପ୍ରଶାସନ ରଦ୍ଦ କରିଛି । ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଥିବା ବେଳେ ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିଛି । ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ସେହିପରି ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି । ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ୟ୍ୟଟକ ଗାଡ଼ିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।