ସହର ଶୋଇଛି, ମାଫିଆ ମାତିଛି : ରାତି ଅଧରେ ନଦୀ ପଠାରୁ ହେଉଛି ଟନ ଟନ ବାଲି ଚାଲାଣ, ଜଗତସିଂହପୁର ଆଳିପିଙ୍ଗଳ ନଦୀ ଘାଟରୁ ଆସିଲା ବେଆଇନ ବାଲିଚାଲାଣର ଖବର

360

କନକ ବ୍ୟୁରୋ : କରୋନ କଟକଣା କାହା ପାଇଁ ସର୍ବନାଶ ତ ଆଉ କାହା ପାଇଁ ପୌଷ ମାସ । ତାଲାବନ୍ଦ ଯୋଗୁଁ ଅନେକ ଜୀବିକା ହରାଇ ପେଟପାଟଣା ଚିନ୍ତାରେ ଘାରି ହେଉଛନ୍ତି । ହେଲେ ବିଭିନ୍ନ ଚୋରା କାରବାର କରୁଥିବା ମାଫିଆଙ୍କୁ ବେଶ ସୁହାଇଛି ଏହି ଲକଡାଉନ୍ । ତାଲାବନ୍ଦର ଫାଇଦା ଉଠାଇ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ବାଲି ମାଫିଆ । କରୋନା କର୍ଫ୍ୟୁ ଯୋଗୁଁ ସଂଧ୍ୟା ୭ଟା ପରେ ଶୋଇ ପଡୁଛି ସହର । ଆଉ ଏହାର ସୁଯୋଗ ନେଇ ଅନ୍ଧାର ଭିତରେ ମାତିଛନ୍ତି ମାଫିିଆ । ପ୍ରଶାସନର ଆଖିରେ ଆଙ୍ଗୁଳି ଗେଞ୍ଜି ଟ୍ରିପ ଟ୍ରିପ୍ ବାଲି ଲୁଟୁଛନ୍ତି । ରାତିର ଅନ୍ଧାର ଭିତରେ ମାଫିଆମାନେ ନଦୀ ପଠାରୁ ବେଆଇନ୍ ଭାବେ ବାଲି ଲୁଟ୍ କରୁଛନ୍ତି । ବେଆଇନ୍ ଭାବେ ବାଲି ଲୁଟ୍ କରାଯାଉଥିଲେ ବି ପୋଲିସ କିମ୍ବା ପ୍ରଶାସନ କେହି ଏମାନଙ୍କ ଉପରେ ରୋକ୍ ଲଗାଉ ନାହାନ୍ତି ।

ସରକାରୀ ବାବୁ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ବାଲି ଲୁଟ୍ ଚାଲିଛି ଏବଂ ସରକାରଙ୍କ ରାଜସ୍ୱ ହାନୀ ହେଉଛି । ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାର ତିର୍ତୋଲ, ବିରିଡି, ରଘୁନାଥପୁର, ନାଉଗାଁ, ଏବଂ ଜଗତସିଂପୁର ତହସିଲ ଅଧିନରେ ରହିଛି ମୋଟ ୧୮ଟି ବାଲିଘାଟ । ଏହି ସମସ୍ତ ବାଲିଘାଟକୁ ପ୍ରଶାସନ ପକ୍ଷରୁ ୫ ବର୍ଷ ପାଇଁ ନିଲାମ ଦିଆଯାଇଛି । ସରକାରୀ ନିୟମ ଅନୁସାରେ, ବାଲଘାଟରୁ ବର୍ଷକୁ ୮ହଜାର କ୍ୱବିକ୍ ମିଟର ବାଲି ଉଠାଇ ପାରିବେ ନିଲାମଧାରୀ । ଏଥିପାଇଁ ରୟାଲିଟି ବାବଦରେ ରାଜ୍ୟ ରାଜକୋଷକୁ ୧୭ଲକ୍ଷ ୭୬ହଜାର ଟଙ୍କା ଦେବେ । ହେଲେ ବେଆଇନ ଭାବେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ହଜାର ଗୁଣ ଅଧିକ ବାଲି ଉଠାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗାଡି ଡ୍ରାଇଭରଙ୍କ କହିବା ଅନୁସାରେ ସେ ଆଳୁପିଙ୍ଗଳ ଘାଟରୁ ବାଲି ଉଠାଇ ଫେରୁଛନ୍ତି । ତେବେ ସବୁଠାରୁ ବଡକଥା ହେଉଛି ୨୦୧୫ ମସିହାରେ ଆଳୁପିଙ୍ଗଳ ଘାଟକୁ ପ୍ରଶାସନ ନିଲାମ ଦେଇଥିଲା । ଏହାରି ଭିତରେ ସେହି ନିଲାମ ଅବଧି ଶେଷ ହୋଇଛି । ତଥାପି ରାଜସ୍ୱ ବିଭାଗର ରୟାଲିଟ ଫର୍ମ ଦେଖାଇ ଟ୍ରିପ ଟ୍ରିପ୍ ବାଲି ନଦୀ ଘାଟରୁ ଉଠୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଘାଟର ନିଲାମ ଅବଧି ଶେଷ ହୋଇଛି, ସେଠାରୁ କିଭଳି ରାଜସ୍ୱ ବିଭାଗର ରେଭିନ୍ୟୁ ଫର୍ମରେ ବାଲି ଉଠୁଛି । ପୁଣି ରେଭିନ୍ୟୁ ଫର୍ମରେ ଘାଟରୁ ବାଲି ଉଠିବାର ସମୟ ଲେଖା ହେଉନଥିବାରୁ ଥରେ ସରିଦ କାଟି ଦିନକୁ ପ୍ରାୟ ୪୦ ଟ୍ରିପ୍ ବାଲି ଉଠାଇ ନେଉଛନ୍ତି । ଆଉ ଏସବୁ କାରବାର ପ୍ରଛଦପଟରେ କିଛି ଅସାଧୁ ସରକାରୀ ବାବୁଙ୍କର ହାତ ଥିବା ଅଭିଯୋଗ ହୋଇଛି ।