ସମଝୌତା ବିସ୍ଫୋରଣ ମାମଲା ! ଅସୀମାନନ୍ଦଙ୍କ ସମେତ ୪ ଅଭିଯୁକ୍ତ ଖଲାସ,୨୦୦୭ରେ ପାନିପଥ ନିକଟରେ ହୋଇଥିଲା ବିସ୍ଫୋରଣ

68

କନକ ବ୍ୟୁରୋ : ସମଝୌତା ବିସ୍ଫୋରଣ ମାମଲାରେ ସ୍ୱାମୀ ଅସୀମାନନ୍ଦଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦୋଷରେ ମୁକ୍ତ କରିଛନ୍ତି କୋର୍ଟ । ପଂଚକୁଲାର ଏନଆଇଏ ସ୍ପେଶାଲ କୋର୍ଟ ଏନେଇ ବୁଧବାର ଶୁଣାଣି କରି ରାୟ ଦେଇଛନ୍ତି । ସ୍ୱାମୀ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହ୍ୱାନ ଏବଂ ରାଜେନ୍ଦ୍ର ଚୌଧରୀଙ୍କୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି । ଏହା ସହିତ ପାକିସ୍ତାନ ନାଗରିକ ରାହିଲା ଭକିଲଙ୍କ ଆବେଦନକୁ ମଧ୍ୟ ଏନଆଇଏ ସ୍ପେଶାଲ କୋର୍ଟ ଖାରଜ କରିଦେଇଛନ୍ତି । ରାହିଲା ଭାକିଲ ହେଉଛନ୍ତି ସମଝୋତା ବିସ୍ଫୋରଣରେ ମୃତ ମହମ୍ମଦ ଭକିଲଙ୍କ ଝିଅ । ଓକିଲ ମୋମିମ୍ ମଲିକଙ୍କ ଜରିଆରେ କୋର୍ଟରେ ତାଙ୍କ ବୟାନ ରେକର୍ଡ ପାଇଁ ସେ ଆବେଦନ କରିଥିଲେ । କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ଏନଆଇଏ ପକ୍ଷରୁ କୋର୍ଟରେ ପକ୍ଷ ରଖୁଥିବା ଓକିଲ ରଂଜନ ମାଲହୋତ୍ରା କୋର୍ଟଙ୍କୁ ଗତ ମାର୍ଚ ୧୮ ତାରିଖରେ ଜଣାଇଥିଲେ , କୁଟନୈତିକ ସ୍ତରରେ ମାମଲାରେ ୧୩ ଜଣ ପାକ୍ ନାଗରିକଙ୍କ ବୟାନ୍ ରେକର୍ଡ ପାଇଁ ଉଦ୍ୟମ କରାଯାଇଥିଲା । ତେବେ ପାକିସ୍ତାନ ଏନେଇ କିଛି ବି ଉତର ରଖିନଥିଲା । ତେବେ ରାହିଲା ଏହି ୧୩ ଜଣଙ୍କ ମଧ୍ୟରେ ନଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ୨୦୦୭ ମସିହାର ଘଟଣା ହେଉଛି ସମଝୋତା ଟ୍ରେନ୍ ବିସ୍ଫୋରଣ ମାମଲା । ଏଥିରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ମୋଟ୍ ୮ ଜଣ ଅଭିଯୁକ୍ତ ଅଛନ୍ତି । ଏଥିରୁ ମୁଖ୍ୟ ଅଭିଯୁକ୍ତ ସୁନୀଲ ଯୋଶୀକୁ ୨୦୦୭ ଡିସେମ୍ୱର ୨୯ ରେ ଗୁଳି କରି ଦୁର୍ବୃତ ହତ୍ୟା କରିଥିଲେ । ଏବେ ବି ୩ ଅଭିଯୁକ୍ତ ସନ୍ଦୀପ ଦଂଗେ, ରାମଚନ୍ଦ୍ର କଲସାଂଗ୍ରା ଓ ଅମିତ୍ ଚୈ÷ାହ୍ୱାନ ଆଜି ବି ନିଖୋଜ ଅଛନ୍ତି । ବାକି ୪ ଜଣଙ୍କୁ ଏନଆଇଏ ସ୍ପେଶାଲ କୋର୍ଟ ଆବଶ୍ୟକ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଛନ୍ତି ।