ପୁରୀରେ କୌଣସି ରାଲି କରିନଥିବା କଥା ସ୍ପଷ୍ଟ କଲେ ସମ୍ବିତ ! କହିଲେ ‘ମୁଁ ଓଡ଼ିଆ ପିଲା, ପ୍ରଚାର ପାଇଁ ନୁହେଁ ଜଗା ଦର୍ଶନ ପାଇଁ ଆସିଥିଲି’

193

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ରାଲି କରି ଫସିଯାଇଛନ୍ତି । ହାତରେ ଜଗା ମୂର୍ତ୍ତି ଧରି ପ୍ରଚାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଆଜି ସମ୍ବିତ ପାତ୍ର ଏ ଘଟଣା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।ପୁରୀରେ ରାଲି କରିନଥିବା କହିଛନ୍ତି ସମ୍ବିତ । ସେ କହିଛନ୍ତି ମୁଁ ଓଡ଼ିଆ ପିଲା । ଓଡ଼ିଶା ମାଟି ଛୁଇଁଲା ପରେ ମୁଁ ପ୍ରଭୁ ଦର୍ଶନ ପାଇଁ ଆସିଥିଲି । ମୋତେ ଦେଖି କିଏ ଫୁଲ ତୋଡ଼ା ଦେଲା,କିଏ ଚନ୍ଦନ ଲଗାଇଦେଲା । ଜଣେ ମା’ ମୋତେ ଧରି କାନ୍ଦି ପକାଇଲେ । ମୁଁ ଲୋକଙ୍କ ଭଲପାଇବାକୁ କିପରି ମନା କରିଦେଇଥାଆନ୍ତି । ଏହା ବ୍ୟତୀତ ସମ୍ବିତ ସ୍ପଷ୍ଟ କରିଛନ୍ତି ଆମେ ରାଲି କରିନଥିଲୁ । ଅତି ସାଧାରଣ ଲୋକ ଭାବେ ମୁଁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଇଥିଲି  ।

ମୁଁ ଶିକ୍ଷିତ ଲୋକ । ସମ୍ବିଧାନ ସର୍ବାଗ୍ରେ । ସମ୍ବିଧାନକୁ କଦାପି ଉଲ୍ଲଂଘନ କରିବି ନାହିଁ । ମୋତେ ଦେଖି ଲୋକେ ଭଲପାଇ ପାଖକୁ ଧାଇଁ ଆସିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି । ଏହାକୁ ରାଜନୀତି ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ । କଂଗ୍ରେସ ଓ ବିଜେଡ଼ି ନେତାମାନେ ମୋ ପ୍ରତି ପୁରୀ ଲୋକଙ୍କ ଭଲପାଇବାକୁ ଦେଖି ଡରି ଯାଇଛନ୍ତି । ଅନେକ ସଂଖ୍ୟାରେ ଲୋକ ଆସି ମୋତେ ସ୍ୱାଗତ କଲେ । ତାହା ଦେଖି ଇର୍ଷାନ୍ୱିତ ହୋଇଯାଇଛନ୍ତି । ଏହା ବ୍ୟତୀତ ସେ କହିଛନ୍ତ ଲୋକେ ହିଁ ପୁରୀର ବିଜେଡ଼ି ଗଡ଼କୁ ଭାଙ୍ଗିବେ । ଆମେ କିଛି କରିବୁ ନାହିଁ । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ମୋଦି ଭିନ୍ନ ଭାବରେ ଦେଶକୁ ଆଗେଇ ନେଉଛନ୍ତି । ତେଣୁ ଲୋକେ ମୋଦିଙ୍କୁ ପସନ୍ଦ କରୁଛନ୍ତି ।

ସୂଚନାଯୋଗ୍ୟ ପୁରୀରେ ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତିକୁ ପ୍ରଚାରରେ ବ୍ୟବହାର କରି ବିବାଦରେ ଫସିଛନ୍ତି । ନିର୍ବାଚନ ପ୍ରଚାରରେ ଧର୍ମୀୟ ଭାବନାରେ ଦ୍ୱାହି ଦେଇ ଜଗନ୍ନାଥଙ୍କୁ ବ୍ୟବହାର କରି ଶ୍ରୀପାତ୍ର ମହାପଭୁଙ୍କୁ ଅସମ୍ମାନ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗ ଉଠାଇବା ସହ ସିଂହଦ୍ୱାର ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହା ସହ ସିଂହଦ୍ୱାର ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି ।

ଆଚରଣ ବିଧି ଉଲଂଘନ କରିଥିବା ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଳାପାଳ ତାଙ୍କୁ ନୋଟିସ ମଧ୍ୟ କରିଥିବା ଜଣାପଡିଛି । ସୋମବାର ସମ୍ବିତ ଜଗନ୍ନାଥଙ୍କ ପ୍ରତିମୂର୍ତି ଧରି ପ୍ରଚାର କରିଥିଲେ । ଏହାକୁ ନେଇ ପୁରୀରେ ଜନଅସନ୍ତୋଷ ଦେଖାଦେଇଛି । ଏହି ଘଟଣାରେ ରାଜ୍ୟ କଂଗ୍ରେସର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି । ଧର୍ମ ଓ ଜାତି ଆଧାରରେ ନିର୍ବାଚନ ଲଢ଼ୁଥିବା ସମ୍ବିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି କଂଗ୍ରେସ ।