ରୋଜଗାରର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ : ପ୍ଲାଷ୍ଟିକ୍ ବ୍ୟାନ୍ ହେବା ଖବର ପରେ ବଢିଲା ବିକ୍ରି,ସ୍ୱାବଲମ୍ବୀ ହେଲେ ମହିଳା

88

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ତାରିଖରୁ ବନ୍ଦ ହେବ ପ୍ଲାଷ୍ଟିକର ବ୍ୟବହାର । ଏଭଳି ସମୟରେ ବ୍ୟବସାୟର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ସମ୍ବଲପୁରର ଷ୍ଟେସନପଡା ଅଂଚଳରେ ରହୁଥିବା ୧୫ରୁ ଅଧିକ ପରିବାରର ମହିଳା ଏହି ପେପର୍ ଦ୍ୱାରା ନିର୍ମିତ ଠୁଙ୍ଗା ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ସମ୍ବଲପୁରର କୁଟୀର ଶିଳ୍ପ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ ।

ଆମ ପାଇଁ ଅଦରକାରୀ ପେପର, ଆଉ କାହାର ପେଟ ପୁଷୁଛି । ସମ୍ବଲପୁର ଷ୍ଟେସନପଡା ଅଂଚଳରେ ୧୫ରୁ ଅଧିକ ପରିବାର କାଗଜ ଠୁଙ୍ଗା ତିଆରି କରି ଆତ୍ମନିର୍ଭର ଶୀଳ ହୋଇପାରିଛନ୍ତି । ମହିଳାମାନେ ବିଭିନ୍ନ ସ୍ଥାନରୁ ପେପର ସଂଗ୍ରହ କରି କାଗଜ ଠୁଙ୍ଗା ତିଆରି କରିଥାନ୍ତି । ଘର କାମ ସାରିବା ପରେ ଏହି ମହିଳାମାନେ କାଗଜ କାଟିବା ଠାରୁ ଆରମ୍ଭ କରି ଅଠା ଲଗାଇ ଠୁଙ୍ଗା କରିବା କାମରେ ଲାଗି ପଡନ୍ତି ।

କାଗଜ ଠୁଙ୍ଗା ବ୍ୟବସାୟକୁ ପରୋକ୍ଷରେ ଲାଭ ଦେଉଛି ସରକାରଙ୍କ ପଲିଥିନ୍ ବ୍ୟାନ୍ ନିଷ୍ପତି । ଦିନକୁ ଜଣେ ମହିଳା ୨୦୦ ରୁ ୩୦୦ କାଗଜ ଠୁଙ୍ଗା ତିଆରି କରୁଥିବା ବେଳେ କେଜି ପ୍ରତି ୪୦ ଟଙ୍କାରେ ବିଭିନ୍ନ ଦୋକାନୀଙ୍କୁ ବିକ୍ରି କରୁଛନ୍ତି । ପେପର କିଲୋକୁ ୮ରୁ ୧୦ ଟଙ୍କାରେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥାନ୍ତି ଷ୍ଟେସନପଡାର ମହିଳା । ଆଉ ଦିନକୁ ୧୦୦ ରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ଘର ପ୍ରତିପୋଷଣରେ ଏକ ମୂଖ୍ୟ ଭୂମିକା ନେଇ ପାରିଛନ୍ତି । ଆଗାମୀ ଦିନରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଠୁଙ୍ଗାର ଚାହିଦା ବଢିବା ସହ ଏମାନଙ୍କ ରୋଜଗାର ବଢିବ ବୋଲି ଆଶା କରାଯାଉଛି ।