କନକ ବ୍ୟୁରୋ : ଆଜି ‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ପୁରସ୍କାର ବିତରଣ ସମାରୋହ ହୋଟେଲ୍ ମେ’ ଫେୟାରରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏଥିରେ ଉଦବୋଧନ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ‘ସମ୍ବାଦ’ ଏବଂ ସୌମ୍ୟ ବାବୁ ଓଡ଼ିଶାର ଦୁଇଟି ବ୍ରାଣ୍ଡ୍ । ବିଗତ ୩ ବର୍ଷ ଧରି ‘ସମ୍ବାଦ’ ଏକ ସାଧୁ ଉଦ୍ୟମ ଆରମ୍ଭ କରିଛି । ‘ଆଗାମୀ ଦିନରେ ଇଣ୍ଟରନେଟ୍ ଜରିଆରେ ସବୁକିଛି ହେବ’। ‘ସମ୍ବାଦ, କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଗାଁରେ ଲୋକେ ଦେଖିବେ, ଶୁଣିବେ’ । ନୂଆ ଟେକ୍ନୋଲୋଜିକୁ ଗ୍ରହଣ ନକରିଲେ ପଛେଇଯିବା । ଆଗକୁ ‘ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ ପ୍ରେରଣା ଯୋଗାଇବ । ସମ୍ବାଦ ଏହି କାର୍ଯ୍ୟକ୍ରମକୁ କିଛି ଘଣ୍ଟା ଭିତରେ ସୀମାବଦ୍ଧ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଚଳିତ ବର୍ଷ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଛି । ଏଥର ସିଏସ୍ଆର୍, ଲାର୍ଜ (ବୃହତ), ମିଡିଅମ୍ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ମୋଟ୍ ୧୫ଟି ପୁରସ୍କାର ପ୍ରଦାନ କରାଯିବ । ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପୁରସ୍କାର ଲାଗି ଆସିଥିବା ସମସ୍ତ ଆବେଦନକୁ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ ବିଜେତା ଚୟନ କରିଛନ୍ତି ।