ବଦଳିପାରେ ୟୁପିର ରାଜନୈତିକ ସମୀକରଣ ! ମାୟାବତୀଙ୍କ ସହ ମେଂଟ ନେଇ ଅଖିଳେଶଙ୍କ ଇସାରା ପରେ ସରଗରମ ରାଜନୀତି

68

କନକ ବ୍ୟୁରୋ : ମାୟାବତୀଙ୍କ ବିଏସପି ସହ ମେଂଟ କରିପାରେ ସମାଜବାଦୀ ପାର୍ଟି । ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାବଦଙ୍କ ଏଭଳି ଇସାରା, ଦେଶର ରାଜନୀତିକୁ ସରଗରମ କରିଛି । ବିବିସିକୁ ସାକ୍ଷାତକାର ଦେଇ ଅଖିଳେଶ କହିଛନ୍ତି, ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ କେହି ଚାହାନ୍ତି ନାହିଁ । ରାଷ୍ଟ୍ରପତି ଶାସନ ଆଳରେ ବିଜେପିକୁ ରିମୋର୍ଟ କଣ୍ଟ୍ରୋଲ ଶାସନ କରିବାକୁ ଦିଆଯିବ ନାହିଁ ।

ମାୟାବତୀଙ୍କ ସହ ସପାର ମେଂଟ ନେଇ ଅଖିଳେଶଙ୍କ ଇସାରା ପରେ ୟୁପି ରାଜନୀତିରେ ନାଟକୀୟ ଉତ୍କଣ୍ଠା ଲାଗି ରହିଛି । ଏକଜିଟ୍ ପୋଲ ରିପୋର୍ଟ ଆସିବା ପରେ ଉତ୍ତରପ୍ରଦେଶରେ କିଏ ଗଢିବ ସରକାର, ଏ ନେଇ ଆଲୋଚନା ସରଗରମ ହୋଇଛି । ଅଧିକାଂଶ ଜନମତ ସର୍ଭେ କହୁଛି, ବିଜେପି ଆଗରେ ରହିବ, ହେଲେ ସରକାର ଗଢିବା ନେଇ ଯେଉଁ ମ୍ୟାଜିକ୍ ଫିଗର ଆବଶ୍ୟକ ତାହା ମିଳିବ ନାହିଁ ।

ଝୁଲା ବିଧାନସଭା ହେଲେ କି କି ବିକଳ୍ପର ସମ୍ଭାବନା ରହିଛି, ଏହା ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତାକାଲିର ଜନାଦେଶ ପରେ ୟୁପି ରାଜନୀତିର ନୂଆ ସମୀକରଣ ହେବା ନେଇ ଆକଳନ କରିଛନ୍ତି ରାଜନୀତି ପଣ୍ଡିତମାନେ । କଂଗ୍ରେସ ସହ ମେଂଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ଓ ଏବେ ମାୟାବତୀଙ୍କ ସହ ମେଂଟ ଇସାରା, ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଯେ ବିଜେପିକୁ କ୍ଷମତାରୁ ଦୂରରେ ରଖିବାକୁ ସବୁପ୍ରକାର ଉଦ୍ୟମ କରିବେ ଅଖିଳେଶ ।