ବନ୍ୟଜନ୍ତୁ ଆଇନରେ ବନ୍ଧା ବଲିଉଡର ଟାଇଗର ! ଜେଲରେ କାଟିବେ ଆଉ ଗୋଟାଏ ରାତି

22

କନକ ବ୍ୟୁରୋ : ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବେଲ ମିଳିବ ନା ନାହିଁ ସେନେଇ ସମସ୍ତେ ଚାହିଁବସିଥିଲେ । ଜାମିନ ଅବେଦନ ଉପରେ ଆଜି ଯୋଧପୁର ସେସନ କୋର୍ଟ ଶୁଣାଣି ଅଧାରେ ରହିଛି । ଆସନ୍ତାକାଲି ମଧ୍ୟ ସଲମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଜାରି ରହିବ । ଫଳରେ ଆଉ ଗୋଟିଏ ରାତି ସଲମାନ ଖାନ ଜେଲରେ ରହିବା ସ୍ପଷ୍ଟ ହୋଇଯାଇଛି । ଆଜି ଦିନ ପ୍ରାୟ ସାଢେ ୧୦ଟାରୁ ଶୁଣାଣି ଆରମ୍ଭ ହୋଇଥିଲା । ତେବେ ଜେଲ ଭିତରେ ସଲମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାମିନ ପାଇଁ ଯୁକ୍ତି ବାଢିଥିଲେ ସଲମାନଙ୍କ ଓକିଲ । ଆଡଭୋକେଟ ମହେଶ ବୋଡା କୋର୍ଟରେ ସଲମାନଙ୍କୁ କାହିଁକି ବେଲ ଦିଆଯିବା ଉଚିତ ସେନେଇ କୋର୍ଟରେ ୫୧ଟି ଦଲିଲ ଦାଖଲ କରିବା ସହ ୫୪ଟି କାରଣ ଦେଖାଇଥିବା ସୂଚନା ମିଳିଛି ।

salman-khan-black-buck-poaching-jailed-for-5-years-food-menu

ହେଲେ ଜଜ ତଳକୋର୍ଟଙ୍କ ରେକର୍ଡ ତଲବ କରିଛନ୍ତି । ତେଣୁ ତଳ କୋର୍ଟଙ୍କ ନିକଟରୁ ରେକର୍ଡ ଆସିବା ପରେ ଜାମିନ ଦେବା ଉପରେ ବିଚାର କରିବେ ଯୋଧପୁର ସେସନ୍ସ କୋର୍ଟ । ଗତକାଲି କୃଷ୍ଣସାର ମୃଗ ହତ୍ୟା ମାମଲାରେ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଥିଲେ । ଏହାପରେ ସଲମାନଙ୍କୁ ଯୋଧପୁର ସେଂଟ୍ରାଲ ଜେଲକୁ ନିଆଯାଇଥିଲା । ସେଠାରେ ବଲିଉଡ ଟାଇଗର ୨ନଂବର ବାରାକରେ ୧୦୬ ନଂବର କଏଦୀ ଭାବେ ଅଛନ୍ତି । ଯାହାର ଲମ୍ବ ୧୦ଫୁଟ ଏବଂ ଓସାର ୧୦ଫୁଟ । ସଲମାନ ରାତିରେ ଚଟାଣରେ ଶୋଇଥିବା ବେଳେ ତାଙ୍କ ୱାର୍ଡରେ ଗୋଟିଏ ସିଲିଂ ଫ୍ୟାନ ଯୋଗାଇ ଦିଆଯାଇଛି । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଆଶାରାମା ବାପୁଙ୍କ ପାଖ ୱାର୍ଡରେ ରହୁଛନ୍ତି ସଲମାନ ଖାନ ।

ତେବେ ରାତିରେ ସଲମାନ ଜେଲ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇନଥିବା ଜଣାପଡିଛି । ସେହିପରି ସକାଳେ ବ୍ରେକଫାଷ୍ଟ କରିନଥିବା ସୂଚନା ମଧ୍ୟ ମିଳିଛି । ଯୋଧପୁର ସେଂଟ୍ରାଲ ଜେଲରେ ସଲମାନଙ୍କୁ ସାଧାରଣ କଏଦୀ ଭଳି ରଖାଯାଇଛି । ୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ହମ ସାଥ ସାଥ ହୈ ଫିଲ୍ମର ସୁଟିଂ ସମୟରେ କୃଷ୍ଣସାର ମୃଗ ହତ୍ୟା ଘଟଣା ଘଟିଥିଲା । ଏହି ମାମଲାରେ ସୈଫଅଲି ଖାନ, ତବୁ, ସୋନାଲି ବେନ୍ଦ୍ର ଓ ନୀଲମଙ୍କ ନାମରେ ମଧ୍ୟ ମାମଲା ହୋଇଥିଲା । ତେବେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ମାମାଲାରୁ ମୁକ୍ତ କରିଛନ୍ତି ।