କୋରାପୁଟ ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ଶାଳ ବଣ ! ଚିନ୍ତା ପ୍ରକଟ କଲେ ପରିବେଶବିତ୍

511

କନକ ବ୍ୟୁରୋ : ଦିନ ଥିଲା ପାହାଡ ପର୍ବତ ସହ ଘଞ୍ଚ ଜଙ୍ଗଲ ଓ ଉତ୍ତମ ପରିବେଶ ପାଇଁ କୋରାପୁଟ ଜିଲ୍ଲାର ନାଁ ରହିଥିଲା । ଧିରେ ଧିରେ ସବୁଜ ପରିବେଶ ଆଉ ଦେଖିବାକୁ ମିଳୁନି । ଗତ ୨୦ବର୍ଷ ମଧ୍ୟରେ ଶାଳ ବଣରେ ଶାଳ ଗଛ ଗୁଡିକ ଯେଉଁ ମାତ୍ରାରେ ବୃଦ୍ଧି ପାଇବା କଥା ଆଉ ବୃଦ୍ଧି ପାଉନି । ଅନ୍ୟ ପକ୍ଷରେ ଗଛ କାଟି ନେବା, ଶାଳ ମଂଜିକୁ ସଂଗ୍ରହ କରି ବିକ୍ରୀ କରିଦେବା, ଶାଳ ଜଙ୍ଗଲରେ ନିଆଁ ଲଗାଇବା ଆଦି ପ୍ରକ୍ରିୟା ନିୟମିତ ଜାରି ରହିଛି । ଏହାକୁ ରୋକିବା ଏବଂ ଶାଳ ବଣକୁ ବୃଦ୍ଧି କରାଇବା ଦିଗରେ ବନ ବିଭାଗ ବି ସେଭଳି ପଦକ୍ଷେପ ନେଉ ନାହିଁ ।

ଗଛର ଚଉଡା ଗତ ୨୦ବର୍ଷ ମଧ୍ୟରେ ୭ରୁ ୮ଫୁଟ ବୃଦ୍ଧି ପାଇବା କଥା କିନ୍ତୁ ୧ରୁ ଦେଢ଼ ଫୁଟ ହିଁ ବଢ଼ୁଛି । ଏହାକୁ ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କଲେଣି । ଗଛ ଲମ୍ବାରେ ବଢ଼ିବା ସହ ଚଉଢ଼ା ହେବା କଥା କିନ୍ତୁ ଏହା ହୋଇପାରୁନି । ଶାଳ ଗଛରୁ ଝଡୁଥିବା ମଂଜି ସେଭଳି ପଡି ରହିଲେ ସେଥିରୁ ହିଁ ଗଛ ଉଠିବ । ଅନ୍ୟ ପକ୍ଷରେ ବନବାସୀ ମାନେ ଶାଳ ମଂଜି ସଂଗ୍ରହ କରି ତେଲ ବାହାର କରିବା ପାଇଁ ଏହାକୁ ବିକ୍ରୀ କରୁଛନ୍ତି । ଫଳରେ ପୂର୍ବ ଭଳି ଆଉ ନୂଆ ଶାଳ ଜଙ୍ଗଲ ସୃଷ୍ଟି ହେଉନି । ଅନ୍ୟପକ୍ଷରେ ଶାଳ ଗଛରୁ ପଡୁଥିବା ପତ୍ର ଗୁଡିକୁ କିଛି ନ୍ୟସ୍ତସ୍ବାର୍ଥପର ବ୍ୟକ୍ତି ନିଆଁ ଲଗାଇ ଦେଉଛନ୍ତି । ଫଳ ସ୍ବରୁପ ଗଛ ଗୁଡିକ ଉପରେ ଏହାର ପ୍ରଭାବ ପଡୁଛି ବୋଲି ପରିବେଶବିତ୍ ମାନେ କହିଛନ୍ତି ।

ଜିଲ୍ଲାରେ ୧୫ହଜାର ହେକ୍ଟର ଜମିରେ ୭୫ଲକ୍ଷ ଶାଳ ଗଛ ଜୟପୁର ଓ କୋରାପୁଟ ବନଖଣ୍ଡରେ ରହିଛି । ରାମଗିରି, ନୂଆଗୁଡା, ଚାନ୍ଦିଲି, ଚିତ୍ରା, କୁସୁମି, ଗୁପ୍ତେଶ୍ବର, ଆମ୍ବାଗୁଡା, ନାରାୟଣପାଟଣା, ହଳଦୀଘାଟ, ଲକ୍ଷ୍ମୀପୁର, ଟାଙ୍ଗିନିଗୁଡା ଆଦି ଜଙ୍ଗଲରେ ଏହି ଗଛ ବ୍ୟାପକ ଭାବେ ଦେଖିବାକୁ ମିଳିଥାଏ । ଟିକ୍ ଗଛ ସହ ଅନ୍ୟାନ୍ୟ ଗଛ ଯେଭଳି ବୃଦ୍ଧି ପାଉଛି ସେହି କ୍ରମରେ ଶାଳ ଗଛ ବଢ଼ୁନି ବୋଲି ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କହୁଛନ୍ତି । ଶାଳ ଜଙ୍ଗଲକୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ କରିବା କଥା ।

ଅନ୍ୟପକ୍ଷରେ ଜଙ୍ଗଲ ଜଳିବା, ମଂଜିରୁ ନୂଆ ଗଛ ସୃଷ୍ଟି ନ ହେବା ସହ କାଠ ଚୋର ମାନେ ଶାଳ ଗଛ ଗୁଡିକୁ ବ୍ୟାପକ ଭାବେ କାଟି ନେଉଥିବାରୁ ଦିନକୁ ଦିନ ଜିଲ୍ଲାରେ ଶାଳ ଜଙ୍ଗଲ ଲୋପ ପାଇବାକୁ ବସିଲାଣି । ତେବେ ଶାଳ ଗଛର ଦେଖାରଖା କରିବା ପାଇଁ ବିଭାଗ ପକ୍ଷରୁ କିଛି ଅନୁଦାନ ମିଳୁନି ଏବଂ ଏଥି ପାଇଁ ୱାର୍କ ପ୍ଲାନ ବିଭାଗକୁ ଦିଆଯାଇଛି ବୋଲି ଜୟପୁର ଡିଏଫଓ ଅଶ୍ବିନୀ କର କହିଛନ୍ତି । ଗତ ୨୦ବର୍ଷ ମଧ୍ୟରେ ଶାଳ ଗଛ ଗୁଡିକ ଯେଭଳି ବୃଦ୍ଧି ପାଇବା କଥା ସେହି ଅନୁସାରେ ବୃଦ୍ଧି ପାଇନି ବୋଲି ସେ ବି ଚିନ୍ତା ପ୍ରକଟ କରିଛନ୍ତି ।

ଏପରିକି ବନ ବିଭାଗ କର୍ମଚାରୀ ମାନେ ଶାଳ ଜଙ୍ଗଲ ପାର୍ଶ୍ବ ଗ୍ରାମବାସୀଙ୍କୁ ଯେତେ ବୁଝାସୁଝା କଲେ ‌ବି ସେମାନେ ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ଶାଳ ବଣର ସୁରକ୍ଷା ପାଇଁ ନିଶ୍ଚିତ ରୂପେ ଆଶୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ଦାବି କରିଛନ୍ତି। ଏହି ଧାରାରେ ଶାଳ ବଣର ଅବକ୍ଷୟ ଜାରି ରହିଲେ ଆଗାମୀ ଦିନରେ ନୂଆ ପୀଡି ଫଟୋ ଚିତ୍ରରେ ହିଁ ଶାଳ ବଣ ଦେଖିବେ ବୋଲି ମତ ପ୍ରକାଶ ପାଇଛି।