କଟକରେ ସାହା ହେଲା ସହାୟ : ଦିବ୍ୟାଙ୍ଗଙ୍କ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭିନ୍ନ ଏକ ପ୍ରୟାସ, ପାଠ ପଢିବା ସହ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟର ଦିଆଯାଉଛି ତାଲିମ 

308

କନକ ବ୍ୟୁରୋ : ନା ଠିକ୍ ସେ କଥା କହିପାରୁଛନ୍ତି ନା ଜୀବନକୁ ବୁଝିଛନ୍ତି । ତଥାପି ଜୀବନ ଯୁଦ୍ଧରେ ହାରି ନାହାନ୍ତି ସେମାନେ । କି କାହା ଉପରେ ବୋଝ ହୋଇନାହାନ୍ତି । ଆତ୍ମ ନିର୍ଭରଶୀଳ ହୋଇ ଜୀବନ ଜିଇଁବାର କଳା ଶିଖୁଛନ୍ତି । କଟକ ବଡ ମେଡିକାଲ ରୋଡରେ ଥିବା “ସହାୟ” ନାମକ ସ୍ୱତନ୍ତ୍ର ବିଦ୍ୟାଳୟରେ ପାଠ ପଢିବା ସହ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟର ତାଲିମ ନେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ଶାଖା ଦ୍ୱାରା ପରିଚାଳିତ ହେଉଛି ଏହି ସ୍କୁଲ ।

ନିଜ ଇଚ୍ଛାରେ ଜୀବନ ଜିଇଁବୁ । ନିଜ ଉଦ୍ୟମରେ ଆଗକୁ ବଢିବୁ । ସବୁ ପ୍ରତିବନ୍ଧକକୁ ପ୍ରତିହତ କରି ଆଗକୁ ବଢିବୁ । କାହାରି ଉପରେ ବୋଝ ପାଲଟିବୁ ନାହିଁ । ଏମତି ଆଶା ନେଇ କଟକର ସ୍ୱତନ୍ତ୍ର ବିଦ୍ୟାଳୟ ‘ସହାୟ’ରେ ପାଠ ପଢୁଛନ୍ତି ୧୦୦ରୁ ସ୍ୱତନ୍ତ୍ର ଛାତ୍ରଛାତ୍ରୀ । ୬ରୁ ୧୮ ବର୍ଷର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୧୮ରୁ ଅଧିକ ବର୍ଷର ପିଲାଙ୍କୁ ଧନ୍ଦାମୂଳକ କାର୍ଯ୍ୟର ତାଲିମ ଦିଆଯାଉଛି । ‘ସହାୟ’ର ସହଯୋଗରେ ବିଭିନ୍ନ ପ୍ରକାର ଖେଳ ଓ ନାଚ-ଗୀତ ମାଧ୍ୟମରେ ଜେରକ୍ସ, ଇଲେକଟ୍ରିକ ଫିଜିଓ ଥେରାପି, ସ୍ପିଚ ଥେରାପି, କମ୍ୟୁଟର ଶିକ୍ଷା ଭଳି ବହୁ ଶିକ୍ଷା ଦିଆଯାଉଛି । ତେବେ ଏପରି ସ୍ୱତନ୍ତ୍ର ପିଲାଙ୍କୁ ଶିକ୍ଷା ଦେଲେ ମାନସିକ ଶାନ୍ତି ମିଳୁଥିବା କହିଛନ୍ତି ଫିଜିଓ ଥେରାଫିଷ୍ଟ ।

୧୯୯୧ ମସିହାରେ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ଶାଖା ସହଯୋଗରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ‘ସହାୟ’ ବିଦ୍ୟାଳୟ । ୨୦୦୧ ମସିହାରେ ଏହି ସ୍ୱତନ୍ତ୍ର ବିଦ୍ୟାଳୟକୁ ଭାରତ ସରକାରଙ୍କ ଅନୁଦାନ ମିଳିଥିଲା । ୮ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ‘ସହାୟ’ରେ ଏବେ ୬୪ ଜଣ ସ୍ୱତନ୍ତ୍ର ଛାତ୍ରଛାତ୍ରୀ ଅଛନ୍ତି । ଓଡିଶା ସରକାର ଅନୁଦାନ ମିଳିବା ପରେ ଏଠାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ବିୟୁଟି ପାର୍ଲର, ସିଲେଇ, ଫାଇଲ ସେଟିଂ ଏବଂ ବୁଣା କାମ ତାଲିମ ଦିଆଯାଉଛି । ଏହାସହ ସିପେଟ୍ ପକ୍ଷରୁ ମଧ୍ୟ ଧନ୍ଦାମୂଳକ ତାଲିମ ଦିଆଯାଉଛି । ଓଡିଶାରେ ହେଉଥିବା ବିଭିନ୍ନ ମେଳା ଏବଂ କଟକ ବାଲିଯାତ୍ରା ଭଳି ଉତ୍ସବରେ ଏହି ଛାତ୍ରଛାତ୍ରୀମାନେ ନିଜ କଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇଥାନ୍ତି ହୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ।