ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ପାକିସ୍ତାନ । ଆମେରିକା ଷ୍ଟେଟ୍ ଡିପାର୍ଟମେଂଟ ରିପୋର୍ଟ ପରେ ସାମ୍ନାକୁ ଆସିଲା ଇମ୍ରାନ ଖାନଙ୍କ ଆତଙ୍କୀ ପ୍ରେମ । ଆଉ ୪ ମାସ ପାଇଁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଲା ଏଫଏଟିଏଫ୍ ।

525

କନକ ବ୍ୟୁରୋ : ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ସୁରକ୍ଷାରେ ରହି କାମ କରୁଛି ଲସ୍କର ଏ ତୋଇବା । ଆମେରିକା ଦ୍ୱାରା ପ୍ରତିବନ୍ଧିତ ମାସୁଦ ଆଜହର ପାକିସ୍ତାନରେ ଖୋଲା ବୁଲୁଛି । ଆମେରିକା ଷ୍ଟେଟ ଡିପାର୍ଟମେଂଟ ଦ୍ୱାରା ବୁଧବାର ଜାରି ରିପୋର୍ଟରେ ଏପରି ତଥ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆତଙ୍କବାଦ ଦମନ ନୀତିର ଫାଙ୍କ ସବୁକୁ ସାମ୍ନାକୁ ଆଣିଛି । ଲସ୍କର ଏ ତୋଇବା ଏବଂ ଜୈସ୍ ଏ ମହମ୍ମଦ ପରି ଅନେକ ଆତଙ୍କୀ ସଂଗଠନ ଆଇଏସଆଇ ଛତ୍ରଛାୟାରେ ରହି କାମ କରୁଛନ୍ତି । ନିକଟରେ ଜାମ୍ମୁକାଶ୍ମୀରରେ ଭାରତୀୟ ସେନା ଏନକାଉଁଟରରେ କିଛି ଆତଙ୍କବାଦୀଙ୍କୁ ନିପାତ କରିଥିଲା । ସେହି ମୃତ ଆତଙ୍କବାଦୀଙ୍କୁ ପାକିସ୍ତାନ ନିର୍ଦ୍ଦୋଶ ବୋଲି କହିଥିଲା ।

ପାକିସ୍ତାନର ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମର ସମୀକ୍ଷା କରି ଆମେରିକା ଷ୍ଟେଟ୍ ଡିପାର୍ଟମେଂଟ ଏପରି ରିପୋର୍ଟ ଦେବା ପରେ ପାକିସ୍ତାନ ପୁଣି ଥରେ ଏଫଏଟିଏଫ୍ ର ଗ୍ରେ ଲିଷ୍ଟରେ ରହିବା ସ୍ପଷ୍ଟ ହୋଇଛି । ଏବେ କରୋନା ମହାମାରୀ ବ୍ୟାପିଥିବାରୁ ଆତଙ୍କବାଦ ଦମନ ନେଇ ଏଫଏଟିଏଫ୍ ଇସଲାମାବାଦକୁ ଆଉ ୪ ମାସ ସମୟ ଦେଇଛି । ୨୦୧୯ ରେ ଭାରତରେ ପୁଲୱମା ଆକ୍ରମଣ ପରେ ଏଥିପାଇଁ ନିଜକୁ ଦାୟୀ କରିଥିଲା ଜୈସ୍ ଇ ମହମ୍ମଦ ଆତଙ୍କୀ ସଂଗଠନ । ଯାହା କି ପାକିସ୍ତାନ ମାଟିରେ ରହି କାମ କରୁଛି । ଏହି ଘଟଣା ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆତଙ୍କବାଦୀ ଦମନ ନୀତିରେ ଦୋମୁହାଁ କଥାକୁ ସାମ୍ନାକୁ ଆଣଛି ।

ପାକିସ୍ତାନ ମାଟିରେ ରହି ଭାରତ ତଥା ଅନ୍ୟ ଦେଶରେ ଆତଙ୍କ ଖେଳାଉଛନ୍ତି ଆତଙ୍କବାଦୀ ସଂଗଠନ ଗୁଡିକ । ହେଲେ ସେଗୁଡିକ ବିରୋଧରେ ପାକ୍ ସରକାର ଯଥେଷ୍ଟ ପଦ କ୍ଷେପ ନେଉନଥିବା ଆମେରିକା ଷ୍ଟେଟ ଡିପାର୍ଟମେଂଟ ରିପୋର୍ଟରେ ସ୍ପଷ୍ଟ ହେବା , ଇମ୍ରାନଙ୍କ ଆତଙ୍କୀ ପ୍ରେମର ଅସଲ ମୁଖା ଖୋଲି ଦେଇଛି । ୨୦୧୫ ମସିହାରେ ଆତଙ୍କବାଦ ଦମନ ନୀତି ଅନୁସାରେ କାମ କରୁନି ପାକ୍ । ଆମେରିକା ଦ୍ୱାରା ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଗୁଡିକ ପାକିସ୍ତାନ ମାଟିରେ ରହି ଏବେ ବି କାମ କରୁଛନ୍ତି । ଏପରି ଜାରି ରହିଲେ ପାକିସ୍ତାନ ଏଫଏଟିଏଫ୍ ର କଳା ତାଲିକା ଭୁକ୍ତ ହେବାରୁ ବର୍ତି ପାରିବ ନାହିଁ ।