ସହିଦଙ୍କୁ ଅସମ୍ମାନ କରି ଭୁଲ ମାଗିଲେ ସାଧ୍ୱୀ ! କହିଲେ, ବୟାନକୁ ନେଇ ଶତ୍ରୁ ଫାଇଦା ଉଠାଉଥିବାରୁ ଫେରାଇ ନେଉଛି ମନ୍ତବ୍ୟ

106

କନକ ବ୍ୟୁରୋ : ସହିଦଙ୍କୁ ଅସମ୍ମନ ପ୍ରସଙ୍ଗରେ ଭୁଲ ମାଗିଲେ ସାଧ୍ୱୀ ପ୍ରଜ୍ଞା । ହେମନ୍ତ କରକରେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି ଭୋପାଲ ବିଜେପି ସାଂସଦ ପ୍ରାର୍ଥୀ । ବିଭିନ୍ନ ଆଡୁ ତୀବ୍ର ସମାଲୋଚନା ପରେ ସେ ଦେଇଥିବା ବୟାନ ତାଙ୍କର ବ୍ୟକ୍ତିଗତ ବୟାନ ବୋଲି କହିଛନ୍ତି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର । ଦୀର୍ଘ ଦିନର ଶାରିରୀକ ଓ ମାନସିକ ନିର୍ଯାତନା କରାଣରୁ ସେ ଏଭଳି ବୟାନ ଦେଇଥିଲେ ବୋଲି କହିଛନ୍ତି । ଶତ୍ରୁମାନେ ତାଙ୍କ ବୟାନକୁ ନେଇ ଫାଇଦା ଉଠାଉଥିବାରୁ ସେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହର କରୁଥିବା କହିଛନ୍ତି ।

ଏଥିସହ ଶତ୍ରୁ ଦେଶର ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବାରୁ ସେ ଜଣେ ସହିଦ ବୋଲି ସ୍ୱୀକାର କରିଛନ୍ତି ସାଧ୍ୱୀ । ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ଏଟିଏସ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ଅତି ସମ୍ବେଦନହୀନ ମନ୍ତବ୍ୟ ରଖିଥିଲେ ସାଧ୍ୱୀ । ମାଲେଗାଓଁ ବୋମା ବିସ୍ଫୋରଣ ମାମଲାର ତଦନ୍ତ ବେଳେ ସାଧ୍ୱୀଙ୍କୁ ବହୁ ହଇରାଣ କରିଥିଲେ ହେମନ୍ତ । ଯେଉଁଥିପାଇଁ ସେ ତାଙ୍କୁ ସର୍ବନାଶ ହେବ ବୋଲି ଅଭିଶାପ ଦେଇଥିଲେ ଏବଂ ଏହାର ଦେଢମାସ ପରେ ତାଙ୍କର ଦେହାନ୍ତ ହେଲା ବୋଲି ଏକ ସଭାରେ କହିଥିଲେ ସାଧ୍ୱୀ ।

ହେଲେ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ସହ ଲଢି ପ୍ରାଣ ହରାଇଥିବା ଜଣେ ସହିଦଙ୍କ ପ୍ରତି ଏଭଳି ଅପମାନଜନକ ମନ୍ତବ୍ୟଠାରୁ ଦୂରେଇ ଯାଇଥିଲା ବିଜେପି । ଏହାକୁ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଥିଲା ଦଳ । ତେଣୁ ଶେଷରେ ନିଜ ବୟାନକୁ ପ୍ରତ୍ୟାହାର କରିବା ସହ ହେମନ୍ତ କରକରେଙ୍କୁ ସହିଦ ବୋଲି କହିଛନ୍ତି ସାଧ୍ୱୀ । ୨୦୦୮ ନଭେମ୍ବର ୨୬ ତାରଖରେ ମୁମ୍ବାଇରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ହମଲାରେ ସହିଦ ହୋଇଥିଲେ ହେମନ୍ତ କରକରେ । ଭାରତ ସରକାର ତାଙ୍କୁ ମରଣୋତର ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ ।