କନକ ବ୍ୟୁରୋ : ହାତ ଛାଡ଼ିବା ପରେ ଏବେ ଶଙ୍ଖ ଫୁଙ୍କିବେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ୍ । ଟିକେଟ ନମିଳିବାରୁ ସାଧୁ ଏବେ ବିଜେଡ଼ିମୁହାଁ । ଆଗାମୀ ଦୁଇ ଦିନ ମଧ୍ୟରେ ବିଜେଡ଼ିରେ ସାମିଲ ହୋଇପାରନ୍ତି ସାଧୁ । କଂଗ୍ରେସରୁ ଇସ୍ତଫା ଦେବାପରେ ସାଧୁ ନେପାକ୍ ଏବେ ଭୁବନେଶ୍ୱରରେ । ବିଶ୍ୱସ୍ତ ସୂଚନା ଅନୁସାରେ ବିଜେଡ଼ିରେ ତୁଙ୍ଗ ନେତାମାନେ ସାଧୁ ନେପାକଙ୍କୁ ବାରମ୍ବାର ଯୋଗାଯୋଗ କରୁଛନ୍ତି । ଏବଂ ତାଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିସାରିଥିବା ସୂଚନା ମିଳିଛି । ତେବେ ସାଧୁ ବିଜେଡ଼ିରେ ଯୋଗଦେଲେ ତାଙ୍କୁ ଟିକେଟ ଦେବ କି ବିଜେଡ଼ି ? ଏନେଇ ଏବେଠାରୁ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
୨୦୦୯ ମସିହାରେ ବାବୁ ୪୬,୭୬୨ ଭୋଟ୍ ପାଇ ଦୁଇଥର ବିଧାୟକ ଥିବା ଆନନ୍ଦ ଆଚାର୍ୟ୍ୟଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ ସେ ୪୬,୧୪୬ ଖଣ୍ଡ ଭୋଟ୍ ପାଇ ୧୩,୨୦୪ ଭୋଟ୍ରେ ଦେବେଶ ଆଚାର୍ୟ୍ୟଙ୍କ ଠାରୁ ପରାଜୟ ଭୋଗିଥିଲେ । ଉଭୟ ନିର୍ବାଚନରେ ସାଧୁ ୪୬ହଜାର ଭୋଟ୍ ଟପିଛନ୍ତି। ବରଗଡ଼ ସହର ଏବଂ ଗ୍ରାମାଞ୍ଚଳରେ ତାଙ୍କର ପକେଟ୍ ଭୋଟ୍ ରହିଛି । ତେବେ ସାଧୁଙ୍କୁ ଟିକଟ୍ ନମିଳିବାରୁ ତାଙ୍କ ବହୁ ସମର୍ଥକ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ତେଣୁ ସାଧୁ ବାବୁ ଯଦି ବିଜେଡିକୁ ଆସନ୍ତି ତେବେ ତାଙ୍କ ପକେଟ୍ ଭୋଟ୍ ସିଧା ସଳଖ ବିଜେଡିକୁ ଆସିବ।
ଏଭଳି ସ୍ଥିତିରେ ବରଗଡ଼ ଆସନ ବିଜେଡି ପାଇଁ ସହଜ ହୋଇଯିବ । ଯାହା ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିବ। କଂଗ୍ରେସ ପାଇଁ ଯୁବନେତା ନିପନ ଦାଶ ଟିକଟ୍ ପାଇ ସାରିଛନ୍ତି । ବିଜେପି ବରଗଡ଼ ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଦଳର ରାଜ୍ୟ ଉପସଭାପତି ଅଶ୍ବିନୀ ଷଡ଼ଂଗୀ ହିଁ ଟିକଟ୍ ହାତେଇବା ସମ୍ଭାବନା ରହିଛି । ଅଶ୍ବିନୀଙ୍କ ବିରୋଧରେ ଦଳରେ ସିଧାସଳଖ କେହି ସାମନାକୁ ଆସିନାହାନ୍ତି । ସାଧୁ ବାବୁ ଇସ୍ତଫା ଦେବା ପାଇଁ ମନସ୍ଥ କରିବା ପରେ ଉଭୟ ବିଜେଡି ଏବଂ ବିଜେପି ପକ୍ଷରୁ ତାଙ୍କୁ ହାତେଇବା ପାଇଁ ଉଦ୍ୟମ ହୋଇଥିଲା । ଏଭଳି ସ୍ଥିତି ବରଗଡ଼ ଆସନର ରାଜନୀତି ସମୀକରଣକୁ ବିଗାଡ଼ି ଦେଇଛି ।