ନବରଙ୍ଗପୁରରେ କରୋନା ଗୁଜବ : ଅନ୍ଧାର ରାତିରେ ମନ୍ଦିରରେ ଭକ୍ତଙ୍କ ଭିଡ . . ଗୋଟିଏ ସନ୍ତାନ ଥିବା ପରିବାର ଶିବ ପୂଜା ନକଲେ କରୋନା ଭୂତାଣୁରେ ସଂକ୍ରମଣ ହେବ ବୋଲି ଗୁଜବ ପ୍ରଚାର ପରେ ପୂଜାପାଠ

922

କନକ ବ୍ୟୁରୋ : କରୋନାରୁ ମୁକ୍ତି ପାଇବା ପାଇଁ ଅନେକ ସ୍ଥାନରେ ପୂଜା କର୍ମ ଆଦି କରାଯାଉଛି । କେଉଁଠି ଗୁଜବ ଶୁଣି ଶିବମନ୍ଦିରରେ ଲୋକଙ୍କ ଭିଡ ଜମୁଛି ତ ଆଉ କେଉଁଠି ଲୋକେ ସଂକୀର୍ତ୍ତନ କରୁଛନ୍ତି । କିନ୍ତୁ ଏଠାରେ ଲୋକେ ଜାଣି ରଖିବା ଉଚିତ ସଚେତନତା ଓ ସତର୍କତା ହିଁ ଆପଣଙ୍କୁ ସୁସ୍ଥ ରଖିବ ।

ଅନ୍ଧାର ରାତି, ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଆଉଁଳି ଗାଁ ଶିବ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କେହି ଜଣେ ଗାଁରେ ଗୁଜବ ପ୍ରଚାର କଲା, ଗୋଟିଏ ସନ୍ତାନ ଥିବା ପରିବାର ରାତିରେ ଶିବ ପୂଜା ନକଲେ ସନ୍ତାନ କରୋନା ଭୂତାଣୁରେ ସଂକ୍ରମିତ ହେବେ । ଏହି ଗୁଜବ ପ୍ରଚାର ପରେ ମନ୍ଦିରକୁ ରାତି ତମାମ ଲମ୍ବିଥିଲା ଶ୍ରଦ୍ଧାଳୁଙ୍କୁ ଭିଡ । ଲୋକେ ପୂଜା କରି କରୋନା ଭୂତାଣୁରେ ସଂକ୍ରମଣ ନହେବା ପାଇଁ ମହାଦେବଙ୍କ ଆଶିର୍ବାଦ ନେଇଥିଲେ ।

କନ୍ଧମାଳ ଫୁଲବାଣୀର ରାମ ମନ୍ଦିର ପରିସରରେ ଚାଲିଛି ଭଜନ କୀର୍ତ୍ତନ । କରୋନାର ମୂଳୋତ୍ପାଟନ ପାଇଁ ହନୁମାନ ଚାଳିଶା ପାଠ ଓ ଯଜ୍ଞ କରୁଛନ୍ତି ପୁରୋହିତ । ସେହିପରି ଫିରିଙ୍ଗିଆ ଠାରେ ଗାୟତ୍ରୀ ପରିବାର ପକ୍ଷରୁ କରୋନା ଭୂତାଣୁର ବିନାଶ ଓ ବିଶ୍ୱ ଶାନ୍ତି ପାଇଁ ୨୪ କୁଣ୍ଡୀୟ ମହାଯଜ୍ଞ କରାଯାଇଛି ।

ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ପାଇଁ ସତର୍କତା ଓ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କିଛି ଲୋକ କରୋନାରୁ ବର୍ତ୍ତିବା ପାଇଁ ପୂଜାପାଠ କରି ଲୋକ ଭିଡ ନକରିବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଛନ୍ତି ।