ସରକାରୀ ଅଫିସର ବିଜୁଳି ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ : ବକେୟା ବିଲ୍ ପଇଠ ନକରିବାରୁ କାମାକ୍ଷାନଗର ବ୍ଲକ ଅଫିସରୁ ତାର କାଟିଲା ଏନଜେଏନ, ଠପ୍ ହୋଇଗଲା ଇଣ୍ଟରନେଟ୍ ସେବା

272

କନକ ବ୍ୟୁରୋ : ସରକାରୀ ଅଫିସର ବିଜୁଳି ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ବର୍ଷ ବର୍ଷ ଧରି ବକେୟା ବିଲ୍ ପଇଠ ନକରିବାରୁ କାମାକ୍ଷାନଗର ବ୍ଲକ ଅଫିସରୁ ତାର କଟି ଦେଲା ବିଦ୍ୟୁତ୍ ବିଭାଗ । ବ୍ଲକ ଅଫିସରକୁ ଇଂଟରନେଟ୍ ଯୋଗାଉଥିବା ଓସ୍ୱାନ୍ ନେଟ୍ ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ନଦେବାରୁ ତାର କାଟି ଦେଇଛି ବିଜୁଳି ଯୋଗାଉଥିବା ସଂସ୍ଥା ଏନଜେଏନ ।

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକରେ ସରକାରଙ୍କର ଲାଗିଥିବା ଓସ୍ଵାନ ଇଣ୍ଟରନେଟର ବକେୟା ବିଜୁଳି ବିଲ ପାଇଁ ଏନଜେଏନ ତରଫରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଇଂଟରନେଟ ଯୋଗାଉଥିବା ସଂସ୍ଥା ୨୦୧୬ ମସିହାରୁ ୧,୧୬,୭୮୫ ଟଙ୍କାର ବିଦ୍ୟୁତ ବିଲ ପଇଠ କରିନଥିବା ଅଭିଯୋଗ ହୋଇଛି । ଇଣ୍ଟରନେଟ ପାଇଁ ଦିନ ୧୨ଟାରୁ ବିଜୁଳି ବିଚ୍ଛିନ୍ନ କରାଯାଇଛି । ଇଣ୍ଟରନେଟ ନଥିବାରୁ ବିଭିନ୍ନ ସରକାରୀ ଅଫିସରେ ଲୋକମାନେ ହଇରାଣ ହରକତ ହେଉଛନ୍ତି ।


ଇଂଟରନେଟ ଯୋଗାଉଥିବା ସଂସ୍ଥା ଓସ୍ୱାନ୍ ନେଟ କାମାକ୍ଷାନଗରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କାମାକ୍ଷାନଗର ମେଡିକାଲ, ତହସିଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ସେବା ଯୋଗାଉଛି । ହେଲେ କେବଳ ବ୍ଲକ ନାଁରେ ବିଜୁଳି ବିଲ୍ ଆସୁଛି । ଯାହାକୁ ନେଇ ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଛି ।

ବକେୟା ବିଲ୍ ଆଦାୟ କରିବା ପାଇଁ ଆକ୍ସନ ମୋଡରେ ବିଜୁଳି ବିଭାଗ । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାରରୁ ଅଧିକ ବିଜୁଳି ବିଲ୍ ବାକି ରଖିଥିବା ଘରୋଇ ହିତାଧିକାରୀ ଓ ବ୍ୟବସାୟୀଙ୍କ ବିଜୁଳି ବିଚ୍ଛିନ୍ନ କରିଥିଲା ବିଭାଗ । ଏବେ ସରକାରୀ ଅଫିସର ପାଳି ପଡିଛି ।