ଉନ୍ମୋଚିତ ହେଲା ରୁବିନ୍ ବାନାର୍ଜୀଙ୍କ ପୁସ୍ତକ ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଲା ନୂଆ ତଥ୍ୟ,ରାଜନୀତିକୁ ଆସିବାକୁ ମନା କରିଥିଲେ ପ୍ରେମ୍ ପଟ୍ଟନାୟକ ଓ ଗୀତା ମେହେଟ୍ଟା

58

କନକ ବ୍ୟୁରୋ : ରାଜନୀତିକୁ କେମିତି ଆସିଲେ ନବୀନ ପଟ୍ଟନାୟକ । ଜଣେ ଲେଖକ କେମିତି ବନିଲେ ପୋଖତ ରାଜନେତା । ନବୀନ ପଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଆଜି ଉନ୍ମୋଚିତ ହୋଇଛି । ଏଥିରେ ଲେଖକ ରୁବେନ୍ ବାନାର୍ଜୀ, ପ୍ରଥମେ କେମିତି ପ୍ରେମ ପଟ୍ଟନାୟକ ଓ ଗୀତା ମେହେଟା ନିର୍ବାଚନ ଲଢିବାକୁ ମନା କଲେ ଏବଂ ପରେ ନବୀନ କେମିତି ବଡ ଭାଇ ଓ ଭଉଣୀକୁ ଆସ୍କାରୁ ଉପ ନିର୍ବାଚନ ଲଢିବା ପାଇଁ ଅନୁମତି ମାଗିଲେ, ସେନେଇ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ।

ruben banarjee book on nabin

୧୯୯୭ ମସିହାରେ ବିଜୁ ବାବୁଙ୍କ ମୃତ୍ୟୁ ପରେ ଦିଲ୍ଲୀର ତତ୍କାଳୀନ ଔରଙ୍ଗଜେବ୍ ରୋଡ୍ ସ୍ଥିତ ବିଜୁ ପଟ୍ଟନାୟକଙ୍କ ବାସଭବନରେ ବଡ ଭାଇ ପ୍ରେମ ପଟ୍ଟନାୟକ, ଭଉଣୀ ଗୀତା ମେହେଟାଙ୍କୁ ପ୍ରଶ୍ନ କରୁଥିଲେ ସବା ସାନ ଭାଇ ନବୀନ ପଟ୍ଟନାୟକ । ନବୀନ ପଚାରିଥିଲେ, ଯଦି ବଡ ଭାଇ ଓ ଭଉଣୀ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ ନାହିଁ ତେବେ ସେ ନିଜେ ଲଢିବେ କି ? ନବୀନଙ୍କ ଏହି ପ୍ରଶ୍ନ ଶୁଣି କୁଆଡେ ଉଭୟ ପ୍ରେମ ପଟ୍ଟନାୟକ ଓ ଗୀତା ମେହେଟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଜି ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ହେବା ପରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିିଛି । ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ନବୀନ କେମିତି ନୂଆ କରି ରାଜନୀତିକୁ ଆସିଲେ ଏବଂ ଆସ୍କାରୁ ନିର୍ବାଚନ ଲଢିବା ପାଇଁ ନିଜ ବଡ ଭାଇ ଓ ଭଉଣୀଙ୍କ ଅନୁମତି ମାଗିଥିଲେ ସେ ନେଇ ବହିରେ ବର୍ଣ୍ଣନା କରିଛନ୍ତି ।

ବିଜୁ ବାବୁଙ୍କ ମୃତ୍ୟୁ ପରେ ସମସ୍ତେ ଭାବୁଥିଲେ ବଡ ପୁଅ ପ୍ରେମ ପଟ୍ଟନାୟକ, ରାଜନୀତିକୁ ଆସିବେ । ଆଉ ଏନେଇ ଦଳର ନେତା ମାନେ ଆସ୍କାରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ତାଙ୍କ ତରଫରୁ ସେଭଳି କୌଣସି ସଙ୍କେତ ଆସିନଥିଲା । ପରେ ପ୍ରେମ ଜଣାଇଦେଲେ ସେ ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି । ଏହି ବହିରେ ରୁବେନ୍ ବାନାର୍ଜୀ ଲେଖିଛନ୍ତି, ଏହାପରେ ଗୀତା ମେହେଟ୍ଟା ରାଜନୀତିକୁ ଆସିବେ ବୋଲି ସମସ୍ତେ ଧରିନେଇଥିଲେ । କାରଣ, ବିଜୁ ବାବୁଙ୍କ ଗେହ୍ଲା ଝିଅ ଥିଲେ ଗୀତା । କିନ୍ତୁ ବିବାହ କରି ଆମେରିକାରେ ରହୁଥିବା ଗୀତା ମଧ୍ୟ ଏଥିପାଇଁ ରାଜି ହୋଇନଥିଲେ । ସେ ବି ମନା କରିଦେଇଥିଲେ ।

image courtesy – www.indiatoday.in

ଲେଖକ ରୁବେନ ବାନାର୍ଜୀ ତାଙ୍କ ବହିରେ ଲେଖିଛନ୍ତି, ଏହାପରେ ଶେଷ ବିକଳ୍ପ ଥିଲେ ନବୀନ ପଟ୍ଟନାୟକ । ବେଶି କଥାବାର୍ତ୍ତା କରୁନଥିବା ଏବଂ ବାପା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ବନ୍ଧୁଙ୍କ ସହ ମିଳାମିଶା କରୁନଥିବା ନବୀନ ହଠାତ୍ ଏଥିପାଇଁ ମନ ବଳାଇଲେ । ରୁବେନ ବାନାର୍ଜୀ ତାଙ୍କ ବହିରେ ଲେଖିଛନ୍ତି ବିଜୁ ବାବୁଙ୍କ ଦିଲ୍ଲୀ ବାସଭବନକୁ ନିୟମିତ ଆସୁଥିବା ବନ୍ଧୁ କିମ୍ବା ସହକର୍ମୀ ମାନେ ମଧ୍ୟ ଠିକ୍ ଭାବରେ ନବୀନଙ୍କୁ ଜାଣିନଥିଲେ । କାରଣ ସେମାନେ ଘରେ ମଧ୍ୟ ନବୀନଙ୍କୁ ଦେଖିନଥିଲେ ଏବଂ ନବୀନ ମଧ୍ୟ କାହା ସହ ମିଳାମିଶା କରୁନଥିଲେ । ତେବେ ସେତେବେଳକୁ ନବୀନ ତିନୋଟି ପୁସ୍ତକ ଲେଖିସାରିଥିଲେ । କିନ୍ତୁ ରାଜନୀତି ଉପରେ ବିଶେଷ ଧାରଣା ନଥିବା ଏହି ବ୍ୟକ୍ତି ରାଜନୀତିରେ କେତେ ସଫଳ ହେବେ ତାକୁ ନେଇ ଓଡିଶାର ନେତାମାନେ ସନ୍ଦିହାନ୍ ଥିଲେ ।

ଶେଷରେ ନବୀନ ଆସ୍କାରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇ ଏକ ବିମାନ ଯୋଗେ ଓଡିଶା ଯାତ୍ରା ଆରମ୍ଭ କରିଥିଲେ । ଏବଂ ଓଡିଶାରେ ପହଁଚିବା ପରେ ରାମକୃଷ୍ଣ ପଟ୍ଟନାୟକ ଓ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।