ରାଉରକେଲାରେ ବଫରଜୋନରୁ କଟକଣା କୋହଳ ପରେ ଉତ୍ତେଜନା : ପୋଲିସ ଓ କଂଟେନମେଂଟ ଜୋନ୍ ବାସିନ୍ଦା ମୁହାଁମୁହ, ପୋଲିସ ଉପରକୁ ପଥରମାଡ ଓ ପୋଡାଜଳା

675

କନକ ବ୍ୟୁରୋ : ରାଉରକେଲାରେ ବଫରଜୋନ୍ କଟକଣା କୋହଳକୁ ନେଇ ତୁମୁଳକାଣ୍ଡ । କଣ୍ଟେନମେଣ୍ଟ ଜୋନ ବାସିନ୍ଦା ଓ ପୋଲିସ ମୁହାଁମୁହିଁ । ପୋଲିସ ଉପରକୁ ପଥରମାଡ ସହିତ ବ୍ୟାରିକେଡ୍ ଭାଙ୍ଗିଛନ୍ତି କଣ୍ଟେନମେଣ୍ଟ ଜୋନ୍ ବାସିନ୍ଦା । ଏହା ସହିତ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।  ଏସପି ଓ ପଶ୍ଚିମାଂଚଳ ଡିଆଇଜି ଘଟଣା ସ୍ଥଳରେ ପହଁଚି ସ୍ଥିତି ଉପରେ ନଜର ରଖିଛନ୍ତି । କଣ୍ଟେନମେଣ୍ଟ ଜୋନ ବାସିନ୍ଦାଙ୍କ ପଥର ମାଡରେ କିଛି ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି । ଉତ୍ତେଜନା ଦେଖାଦେଇଥିବାରୁ ପୁରା ଅଂଚଳରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଏହିପାଇଁ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛିl କଣ୍ଟେନମେଣ୍ଟ ଅଧୀନରେ ଥିବା ମେନ ରୋଡର ବାମ ପାର୍ଶ୍ୱ ଅଞ୍ଚଳ ଯଥା ଓଲଡ଼ ଷ୍ଟେସନ ରୋଡ, ଭଟ୍ଟୀ ରୋଡ, ଦରଘାଇ ମୋହଲ୍ଲା, ସେଣ୍ଟ୍ରାଲ ମାର୍କେଟ, ଗଣେଶ ଚୌକ, ନେତାଜୀ ମାର୍ଗ, ଜାମା ମସଜିଦ ଗଲି, ମାଡୁ ମହାରାଜ ଗଲିରୁ କଣ୍ଟେନମେଣ୍ଟ ଆଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି । ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି । ଆଜି ସକାଳ ୬ଟାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

ତେବେ ମେନ ରୋଡର ଡାହାଣ ପାର୍ଶ୍ଵରେ କଣ୍ଟେନମେଣ୍ଟ ଜୋନରେ ଥିବା ଅଞ୍ଚଳ ଯଥା ଜନତା ନିବାସ ଗଲି, ଦିନାନାଥ ଗଲି, ଉର୍ଦୁ ସ୍କୁଲ ଗଲି, ନାଲା ରୋଡ, ସିଂ ବିଲ୍ଡିଂ ଗଲି, ଆନନ୍ଦ ଭବନ ରାସ୍ତା, ଆରଡିଏ ବିଲଡିଂ ଅଞ୍ଚଳ, ଆଜାଦ ମୋହଲ୍ଲା ଅଞ୍ଚଳ, କୁରେସି ମୋହଲ୍ଲା ଅଞ୍ଚଳ, ତେଲିପଡା, ହାସନପୁର, ମହତାବ ରୋଡ, ନୁର ମସଜିଦ ଗଲି, ଇତ୍ୟାଦି ଅଞ୍ଚଳରେ ଅନ୍ୟ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଆଦେଶ ବଳବତ୍ତର ରହିବ । ଜନତା ନିବାସ ଛକଠାରୁ ଆନନ୍ଦ ଭବନ ଛକ ମଧ୍ୟରେ ମୁଖ୍ୟ ରାସ୍ତାକୁ ସମ୍ମୁଖ କରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।