ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧର କଳା ବାଦଲ : ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ

729

କନକ ବ୍ୟୁରୋ : ବାଗଦାଦର ଗ୍ରୀନ ଜୋନ୍ ଭିତରେ ଥିବା ଆମେରିକା ଦୂତାବାସ ଉପରେ ପୁଣି ହୋଇଛି ରକେଟ୍ ମାଡ । ଇରାକ ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ କ୍ରମାଗତ ଦ୍ୱିତୀୟ ଦିନରେ ଇରାନ୍ କରିଛି ଆକ୍ରମଣ । ଶନିବାର ରାତିରେ ରକେଟ୍ ଆକ୍ରମଣରେ ଆମେରିକା ଦୂତାବାସ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ରବିବାର ରାତିରେ ମଧ୍ୟ ଆମେରିକା ଦୂତାବାସ ଉପରେ ଇରାନ କରିଛି ରକେଟ ମାଡ । ବାଗଦାଦର ଗ୍ରୀନ ଜୋନ ଅଂଚଳର ସ୍ଥଳ ଓ ଆକାଶ ପଥ ବିଶେଷ କରି କଡା ସୁରକ୍ଷା ମଧ୍ୟରେ ରହିଥାଏ । ଏହା ଭିତରେ ଇରାନର ଏପରି ଆକ୍ରମଣ ଏବେ ଇରାନ୍ ଓ ଆମେରିକା ମଧ୍ୟରେ ଅସନ୍ତୋଷକୁ ଅଧିକ ବଢାଇ ଦେଇଛି । ଏହି ଘଟଣା ହିଁ ସ୍ପଷ୍ଟ କରିଛି ଇରାନ ଓ ଆମେରିକା ମଧ୍ୟରେ ଦେଖା ଦେଇଥିବା ଉତେଜନା ଏବେ ସହଜରେ ଥମିବ ନାହିଁ ।

https://english.jagran.com/

ବିଶ୍ୱର ବିଭିନ୍ନ ରାଷ୍ଟ୍ର ଦୁଇ ଦେଶକୁ ସଂ ଯମତା ଆଚରଣ କରିବାକୁ ଅନୁରୋଧ କରିଥିବା ବେଳେ ଇରାନ୍ ଏଥିପ୍ରତି ଧ୍ୟାନ ଦେଇନାହିଁ । ରବିବାର ରାତିରେ ହୋଇଥିବା ରକେଟ୍ ମାଡରେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ହୋଇଥିବା ଆକ୍ରମଣରେ ଆମେରିକା ଦୂତାବାସ ନିକଟରେ ପଡିଥିଲା ଦୁଇଟି ଯାକ ରକେଟ । ଏପରି ଘଟଣା ଭିତରେ ଆମେରିକା ଏବେ ନିଜ ସପକ୍ଷରେ ସମର୍ଥନ ହାସଲ ପାଇଁ ଆରମ୍ଭ କରିଛି ଉଦ୍ୟମ । ଏହା ମଧ୍ୟରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ, ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ କଥା ହୋଇଛନ୍ତି । କାସୀମ ସୁଲେମାନୀକୁ ନେଇ ଆମେରିକା ନେଇଥିବା ନିଷ୍ପତି ସମ୍ପର୍କରେ ଭାରତକୁ ଜଣାଇଛି ଆମେରିକା । ଏହା ସହିତ ପଶ୍ଚିମ ଏସିଆରେ ଦେଖା ଦେଇଥିବା ଉତ୍ତେଜନା ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି ।

ଇରାନ୍ ଓ ଆମେରିକା ମଧ୍ୟରେ ଉତେଜନା ଦେଖାଦେବା ଭାରତର ଚିନ୍ତା ମଧ୍ୟ ବଢାଇ ଦେଇଛି । କାରଣ ଉଭୟ ଇରାନ୍ ଓ ଆମେରିକା ସହିତ ଭାରତ ବ୍ୟବସାୟିକ ଓ କୂଟନୈତିକ ସଂପର୍କ ରଖିଛି । ଏହି ଦୁଇ ଦେଶ ମଧ୍ୟରେ ଉତେଜନା ବଢିଲେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟରେ ପଡିବ । ତେଣୁ ଭାରତ ଇରାନ୍ ଓ ଆମେରିକାକୁ ଉତେଜନା କମାଇବାକୁ ନିବେଦନ କରିଛି ।