ଅନୁଗୁଳର ଛେଣ୍ଡିପଦା ଅଞ୍ଚଳରେ ଡକାୟତି : ଝିଅ ବାହାଘର ପାଇଁ ସୁନାଗହଣା ରଖିଥିଲେ, ବନ୍ଧୁକ ଦେଖାଇ ୯ ଭରି ସୁନାଗହଣା ସମେତ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

288

କନକ ବ୍ୟୁରୋ : ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ ୯ ଭରି ସୁନାଗହଣା ସମେତ ୧ଲକ୍ଷ ୨୦ ହଜାର ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ ଗାଁରେ । ଗାଁ ର ପତିତପାବନ ମହାପାତ୍ରଙ୍କ ଘରେ ଘଟିଛି ଏହି ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ୫ରୁ ୬ଜଣ ଦୁବୁର୍ତ୍ତ ପଶି ପତିତପାବନଙ୍କ ପରିବାର ଲୋକଙ୍କୁ ଛୁରୀ, ବନ୍ଧୁକ, ଖଣ୍ଡା ଦେଖାଇ ଲକ୍ଷେ ୨୦ ହଜାର ଟଙ୍କା ସହ ୯ ଭରି ଓଜନର ସୁନାଗହଣା ଲୁଟିନେଇଛନ୍ତି ।

ମାର୍ଚ୍ଚ ୨୪ରେ ପତିତପାବନଙ୍କ ଝିଅ ବାହାଘର ଥିବା ବେଳେ, ବାହାଘର ପାଇଁ କିଣାଯାଇଥିବା ଗହଣା ସବୁକୁ ଲୁଟିନେଇଛନ୍ତି ଦୁର୍ବୁତ୍ତ । ସେପଟେ ଲୁଟ ବେଳେ ଦୁବୁର୍ତ୍ତଙ୍କୁ ଅଟକାଇବାକୁ ଯାଇ ପତିତପାବନଙ୍କ ହାତରେ ଖଣ୍ଡା ବାଜିଥିଲା, ଯାହାଫଳରେ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ସୂଚନାପାଇଁ ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ପତିତପାବନ ମହାପାତ୍ର ନିଜ ଝିଅର ବାହାଘର କରିବାକୁ ଘରେ ୬ ଲକ୍ଷ ଟଙ୍କା, ୩ଟି ସୁନାହାର , ୨ଟାସୁନା ଚେନ୍, ୩ ହଳ କାନଫୁଲ, ୬ଟା ମୁଦି, ୨ଟି ହାର ଆଦି ରଖିଥିଲେ । ୫ରୁ ୬ଜଣ ଜଣ ମୁଖାଧାରୀ ଡକାୟତମାନେ ହାତରେ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଧରି ଗତକାଲି ରାତି  ସମୟରେ ଘରର ଲାଇନ୍ କାଟି ଦେଇ ଛାତବାଟେ ଘର ଭିତରକୁ ପଶିଥିଲେ । ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ବନ୍ଧୁକ, ଖଣ୍ଡା ଦେଖାଇ ଆଲମାରିରେ ଥିବା ସମସ୍ତ ସୁନାଗହଣା ଏବଂ ଟଙ୍କା ନେଇଯାଇଥିଲେ ।