ଦୁର୍ଦ୍ଦଶାରେ ଅନୁଗୁଳ ଜିଲ୍ଲାର ଘୁରୁଡୁଖମଣ ଗ୍ରାମବାସୀ : ପଙ୍କକାଦୁଅ ରାସ୍ତା ଦେଇ ଗାଁରୁ ବାହାରୁଛନ୍ତି ଲୋକେ

48

କନକ ବ୍ୟୁରୋ : ବିକାଶ ଠାରୁ ଅନେକ ଦୂରରେ ଅନୁଗୁଳ ଜିଲ୍ଲାର ଘୁରୁଡୁଖମଣ । ଗାଁକୁ ଯିବାକୁ ରାସ୍ତା ନଥିବାବେଳେ ପଙ୍କ କାଦୁଅ ଦେଇ ଗାଁରୁ ବାହାରୁଛନ୍ତି ଗ୍ରାମବାସୀ । ପାଠପଢିବାକୁ ୩କିମି ଦୂରରେ ଥିବା ସ୍କଲକୁ ଯିବାକୁ ହେଲେ ଜଙ୍ଗଲ ଓ ଜମି ହୁଡା ଦେଇ ଯାଉଛନ୍ତି ଛାତ୍ରଛାତ୍ରୀ ।

ଗାଁକୁ ଯିବାକୁ ନାହିଁ ରାସ୍ତା । ଅନୁଗୁଳରେ ପାଉଡିଭୂୟାଁ ଉନ୍ନୟନ ସଂସ୍ଥାର ୨୫ଟି ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସେଥି ମଧ୍ୟରେ ବନ୍ଧାଭୁଇଁ ଗାଁର ୧୧ ନଂ ୱାର୍ଡ ଘୁରୁଡୁଖମଣ ରହିଯାଇଛି ଅନେକ ପଛରେ । ଗାଁକୁ ଯିବାକୁ ରାସ୍ତା ନଥିବାରୁ ୩ କିମି ଜଙ୍ଗଲ ଭିତରେ କାଦୁଅ ଭିତରେ ଯିବାକୁ ପଡୁଛି । ଫଳରେ ୧୦୮ ଆମ୍ବୁଲାନସ ଗାଁକୁ ପହଁଚିବା ଦିବାସ୍ୱପ୍ନ । ଏପରି ସ୍ଥିତିରେ ଖଟିଆରେ ବୁହା ହୋଇ ଆସୁଛନ୍ତି ରୋଗୀ । ସେପଟେ ପାଠ ପଢିବା ପାଇଁ ସିଆରିଆ ଓଇତି ସ୍କୁଲର ଛାତ୍ରଛାତ୍ରୀ ଜଂଗଲ ଭିତରେ ଜମି ହୁଡାରେ ଯାଇ ସ୍କୁଲରେ ପହଂଚନ୍ତି । କେବଳ ଏତିକି ନୁହେଁ ବିଦ୍ୟୁତ ତାର ଟଣା ଯାଇଥିଲେ ବି ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ ।

ଏତିକିରେ ସରିନାହିଁ ଲୋକଙ୍କ ଦୁର୍ଦ୍ଦଶା । ଗୋଟିଏ ମାତ୍ର ନଳକୂଅରେ ପାଖାପାଖି ୨୦୦ ଲୋକ ନିର୍ଭର କରନ୍ତି । ସେଥିରୁ ପୁଣି ବିଶୁଦ୍ଧ ପାଣି ବାହାରୁ ନଥିବାରୁ ଭଙ୍ଗା କୂଅର ଦୂଷିତ ପାଣି ପିଅନ୍ତି ବସ୍ତିବାସିନ୍ଦା । ଗାଁ ସମସ୍ୟାକୁ ନେଇ ବାରମ୍ବାର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଅପରପକ୍ଷରେ ଗାଁ ସମସ୍ୟାର କିପରି ସମାଧାନ କରାଯିବ ସେ ନେଇ ଆକ୍ସନ ପ୍ଲାନ କରାଯିବ ବୋଲି ପାଳଲହଡା ଉପଜିଲ୍ଲାପାଳ କହିଛନ୍ତି । ଦୀର୍ଘ ଦିନ ଧରେ ଗାଁ ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏବେ  ସମସ୍ୟା ସମାଧାନର ପ୍ରତିଶ୍ରୁତି କେବେ ପୂରଣ ହେବ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।